ମରାମତି ହେଲା ପୂର୍ତ୍ତ ବିଭାଗ ରାସ୍ତା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବ୍ଲକ ୧୬ନଂ ଜାତୀୟ ରାଜପଥରୁ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାଟି ଉପରେ ଅଞ୍ଚଳର ହଜାରହଜାର ଲୋକ ଯାତାୟତ ପାଇଁ ନିର୍ଭର କରିଥାଆନ୍ତି । ମୁଖ୍ୟତଃ ଏହି ରାସ୍ତାଦେଇ ବ୍ଲକର ସରସଦା, କୁରିଗାଁ, ରହଣିଆ, ନପଙ୍ଗ, ମାଳଦା, ଷୋଳମପୁର ପ୍ରମୁଖ ପଞ୍ଚାୟତର ଲୋକମାନେ ଦୈନନ୍ଦିନ ଯାତାୟତ କରୁଥିବାବେଳେ ପଡୋଶୀ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଲୋକେ ଏହି ବାଟଦେଇ ଭଦ୍ରକ ଆସିଥାଆନ୍ତି । ଗୁରୁତ୍ୱ ଦୃଷ୍ଟିରୁ ପୂର୍ତ୍ତବିଭାଗ ରାସ୍ତାଟିକୁ ସମ୍ପୂର୍ଣ୍ଣ କଂକ୍ରିଟ କରଣ ପାଇଁ ଚାରିବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା । ଦୁଇଗୋଟି ପର୍ଯ୍ୟାୟରେ ପ୍ରାୟ ୧୫କୋଟି ଟଙ୍କା ବ୍ୟୟ ହୋଇ ୧୩କି.ମି. ଯାଏଁ ରାସ୍ତାଟି ସମ୍ପୂର୍ଣ୍ଣ ନିର୍ମାଣ ହୋଇଥିବାବେଳେ ଏଥିଯୋଗୁ ହଜାରହଜାର ଲୋକ ଉପକୃତ ହେଉଛନ୍ତି । ରାସ୍ତା ନିର୍ମାଣକୁ ଇତିମଧ୍ୟରେ ଚାରିବର୍ଷ ବିତିଯାଇଥିଲେ ସୁଦ୍ଧା ଏବେ କିଛି ଜାଗାରେ ଭଗ୍ନ ଅବସ୍ଥା ସୃଷ୍ଟି ହୋଇଥିଲା । ନିୟମ ଦୃଷ୍ଟିରୁ ରାସ୍ତାକାମ କରିଥିବା ଠିକାଦାର ଏବେ ମରାମତି ଆଧାରରେ ଫାଟିଥିବା ସ୍ଥାନକୁ ନୂତନ ମରାମତି କରୁଛନ୍ତି । ବିଶେଷକରି ପଟାପୋଲ ନିକଟ ହାଜିପୁର ଛକ ଠାରେ ରାସ୍ତାର ପ୍ରାୟ ୫ମିଟର ପାଶ୍ୱର୍ ରହଣିଆ ମାଇନରକୁ ଫାଟି ଧସିଯାଇଥିବାବେଳେ ସେଠାରେ ନବୀକରଣ କାର୍ଯ୍ୟ ହେଉଛି । ଏହାପରେ ଅନ୍ୟାନ୍ୟ ସ୍ଥାନରେ ଯଦି ରାସ୍ତା ଭଗ୍ନ ଥାଏ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେଠାରେ ମଧ୍ୟ ମରାମତି କରଯିବ ବୋଲି ବିଭାଗ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମ୍ବିକା ବହ୍ଲବ ସ୍ୱାଇଁ ସୂଚନା ଦେଇଛନ୍ତି ।


