ମହାପ୍ରଭୁଙ୍କ ଡାକରେ ଶ୍ରୀକ୍ଷେତ୍ର ମୁହାଁ ୨୧୦ ଭକ୍ତ
କୋରାପୁଟ, ୨୦/୦୯/୨୬ (ହେମନ୍ତ ପାଣିଗ୍ରାହୀ) :ମନରେ ମହାପ୍ରଭୁଙ୍କ ଦର୍ଶନର ଆକୁଳତା, ଆଖିରେ ଶ୍ରୀକ୍ଷେତ୍ର ଦେଖିବାର ସ୍ୱପ୍ନ। ଏହି ଆଧ୍ୟାତ୍ମିକ ଭାବନାକୁ ସାଥୀ କରି ରବିବାର କୋରାପୁଟରୁ ପୁରୀ ଅଭିମୁଖେ ବାହାରିଛନ୍ତି ୨୧୦ ଜଣ ତୀର୍ଥଯାତ୍ରୀ। ଶ୍ରୀଜଗନ୍ନାଥଙ୍କ ପବିତ୍ର ଦର୍ଶନ ପାଇଁ ଆରମ୍ଭ ହୋଇଥିବା ଏହି ଯାତ୍ରା କୋରାପୁଟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। କୋରାପୁଟ ନିକଟସ୍ଥ ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବାବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ସ୍ଥାନୀୟସ୍ତରରେ ଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ଜୟପୁର ଓ ସୁନାବେଡ଼ା ପୌରପରିଷଦ ସମେତ କୋରାପୁଟ ଓ ସେମିଳିଗୁଡ଼ା ବ୍ଲକର ତୀର୍ଥଯାତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ରବିବାର ଅପରାହ୍ନ ୪ଟାରେ ବସ୍ ଯୋଗେ ଯାତ୍ରା ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ୮ଟାରେ ପୁରୀ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସନ୍ଧ୍ୟାରେ ପୁଣି କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଛି। ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ନିଆଯାଇଛି ବିଶେଷ ପଦକ୍ଷେପ। ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ଯାତ୍ରା ସମୟରେ ଆବଶ୍ୟକ ସାମଗ୍ରୀ ରଖିବା ପାଇଁ ପ୍ରତ୍ୟେକ ଯାତ୍ରୀଙ୍କୁ ବ୍ୟାଗ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଧାୟକ ରଘୁରାମ ମାଛ ଓ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତୀର୍ଥଯାତ୍ରୀଙ୍କ ସହ ଭାବ ବିନିମୟ କରି ସୁରକ୍ଷିତ ଓ ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ମହାପ୍ରଭୁଙ୍କ ଦର୍ଶନ ଯାତ୍ରା ସେମାନଙ୍କ ପାଇଁ ସ୍ମରଣୀୟ ହେଉ ବୋଲି କାମନା କରାଯାଇଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୌରଭ ରଞ୍ଜନ ବାଗ, କନିଷ୍ଠ ସହାୟକ ମନରଞ୍ଜନ ନାୟକ, ପର୍ଯ୍ୟଟନ ବିଭାଗର କର୍ମଚାରୀ ଶ୍ରୀ ଜଗନ୍ନାଥ ନାୟକଙ୍କ ସମେତ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। କୋରାପୁଟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିଥିବା ଏହି ତୀର୍ଥଯାତ୍ରା ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ଭରିଦେଇଛି। ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାର ଆଶା ନେଇ ଯାତ୍ରା କରିଥିବା ଏହି ୨୧୦ ଭକ୍ତଙ୍କ ପାଇଁ ଶ୍ରୀକ୍ଷେତ୍ର ଦର୍ଶନ ହେବ ଆସ୍ଥା ଓ ଆନନ୍ଦର ଏକ ଅବିସ୍ମରଣୀୟ ଅନୁଭବ।


