ଜରାଜୀର୍ଣ୍ଣ ଗୋଟିଏ କୋଠାରେ ଚାଲୁଛି ୬ଟି ଶ୍ରେଣୀର ପାଠପଢ଼ା

କୋଦଳା,(ବାପୁନି କୁମାର ମାଲୁ) : ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୮ । କିନ୍ତୁ ଏତେ ବଡ଼ ସଂଖ୍ୟକ ପିଲାଙ୍କ ପାଇଁ ରହିଛି ମାତ୍ର ୩ଟି ଶ୍ରେଣୀଗୃହ। ପରିସ୍ଥିତି ଏମିତି ଯେ, ଗୋଟିଏ ଶ୍ରେଣୀଗୃହରେ ଏକାସାଙ୍ଗେ ଚାଲୁଛି ୬ଟି ଶ୍ରେଣୀ । ଅନ୍ୟ ଦୁଇଟି ଗୃହରେ ଚାଲୁଛି ୨ଟି ଲେଖାଏଁ ଶ୍ରେଣୀ। ଅର୍ଥାତ୍ ୯ଟି ଶ୍ରେଣୀ ପାଇଁ ଶ୍ରେଣୀଗୃହ ମାତ୍ର ୩ଟି। ଏଭଳି ପରିସ୍ଥିତିରେ ପିଲାମାନେ କିଭଳି ଏକାଗ୍ରତାର ସହ ପାଠ ପଢ଼ୁଛନ୍ତି, ତାହା ନେଇ ପ୍ରଶ୍ନ ଉଠିଛି । କେବଳ ଗୃହ ଅଭାବ ନୁହେଁ, କିଛି ଶ୍ରେଣୀଗୃହର ଅବସ୍ଥା ମଧ୍ୟ ଚିନ୍ତାଜନକ। ଛାତରୁ ସିମେଣ୍ଟ ଛାଡ଼ି ଲୁହା ରଡ୍ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ଅଭିଯୋଗ ରହିଛି। ଏଭଳି ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ୨୦୧୫ ମସିହାରେ ତତ୍କାଳୀନ ବିଧାୟିକାଙ୍କ ପକ୍ଷରୁ ନୂତନ କୋଠା ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ନୂତନ କୋଠା ପାଇଁ ଜାଗା ଚିହ୍ନଟ ହୋଇଥିଲା ଏବଂ ଠିକାଦାର ଜାଗା ସଫା ମଧ୍ୟ କରିଥିଲେ। ହେଲେ ତା’ପରେ କାହିଁକି କାମ ଅଟକିଗଲା, ତାହା ଏବେ ବି ପ୍ରଶ୍ନ । ୧୧ ବର୍ଷ ବିତିଗଲା, ହେଲେ ନୂଆ କୋଠା ନିର୍ମାଣର ଅପେକ୍ଷା ଶେଷ ହେଉନି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ବେହେରା କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶ୍ରେଣୀଗୃହର ନିହାତି ଆବଶ୍ୟକତା ରହିଛି। ଗୃହ ସଂଖ୍ୟା କମ୍ ଥିବାରୁ ଗୋଟିଏ ଗୃହରେ ଏକାଧିକ ଶ୍ରେଣୀ ଚାଲୁଛି। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ସମାଧାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ପ୍ରଧାନଶିକ୍ଷକ ବିଶ୍ୱନାଥ ମିଶ୍ର କହିଛନ୍ତି ସମସ୍ୟାର ସମାଧାନ ଅଳ୍ପ ଦିନ ମଧ୍ୟରେ ହେବ। ଏଥିପାଇଁ ଟଙ୍କା ଧାର୍ଯ୍ୟ ହୋଇଥିବା ନେଇ ସେ ଶୁଣିଥିବା କହିଛନ୍ତି। ଅନ୍ୟପଟେ ଏନେଇ ବେଗୁନିଆପଡ଼ା ଶିକ୍ଷାଧିକାରୀ ଏବଂ ମର୍ଦ୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇପାରିନାହିଁ । ୯ଟି ଶ୍ରେଣୀ, ୮୮ ଛାତ୍ରଛାତ୍ରୀ ଏବଂ ମାତ୍ର ୩ଟି ଶ୍ରେଣୀଗୃହ। ଜରାଜୀର୍ଣ୍ଣ କୋଠାରେ ପାଠପଢ଼ା କେତେଦିନ ? ୨୦୧୫ ରୁ ଅଟକିଥିବା ନୂଆ କୋଠା ନିର୍ମାଣ କେବେ ଆରମ୍ଭ ହେବ ? ଏବେ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ଓଡ଼ନଇ ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ