ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ସମାନ ବର୍ଷ ଭାଗ କରିବେ ବିଜେପି-ଶିବସେନା!

ମୁମ୍ବାଇ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତାକୁ ଆଧାର କରି ଶିବସେନା ଓ ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଏକାଠି ନିର୍ବାଚନ ଲଢ଼ିବାକୁ ସହମତ ହୋଇଛନ୍ତି । ତେବେ ଶିବସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ କାହା ଅଧୀନରେ ରହିବ ବୋଲି ବାରମ୍ବାର ପ୍ରଶ୍ନ ହେଉଥିବା ବେଳେ ଏବେ ଏହାର ଏକ ଆପୋଷ ବୁଝାମଣାଜନିତ ନିଷ୍କର୍ସ ବାହାରିଛି । ଏହି ଦୁଇ ଦଳ ମଧ୍ୟରେ ସମାନ ବର୍ଷ ବାଣ୍ଟି ଦିଆଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ଯଦି ଏପରି ହୁଏ, ୫ବର୍ଷର ମୁଖ୍ୟମନ୍ତ୍ରୀ ସମୟ ମଧ୍ୟରେ ଉଭୟ ଦଳ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଏହି ସୂଚନା ଶିବସେନାର ଯୁବନେତା ତଥା ଆଦିତ୍ୟ ଠାକୁରଙ୍କ ସମ୍ପର୍କୀୟ ଭାଇ ବରୁଣ ସରଦେଶାଇ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ଦଳଗତ ଭାବେ କୌଣସି ସୂଚନା ଆସିନଥିବାରୁ ଏସମ୍ପର୍କରେ ସଠିକ୍ ସୂଚନା କୌଣସି ସୂଚନା ଦେଇ ନାହାନ୍ତି ।
ସରଦେଶାଇ ଟ୍ୱିଟ୍ କରି କହିଛନ୍ତି ଯେ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ଓ ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ମଧ୍ୟରେ ଏନେଇ ଚୂଡାନ୍ତ ବୁଝାମଣା ସ୍ଥିରିକୃତ ହୋଇସାରିଛି । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରେ ଅଢେଇ ବର୍ଷ ବିଜେପି ବସିଲେ ଆଉ ଅଢେଇ ବର୍ଷ ଶିବସେନା ଅଧୀନରେ ରହିବ । ଶିବସେନାର ଯୁବସେନା ସଚିବଙ୍କ ଏହି ଟ୍ୱିଟ୍ ଉପରେ ଏ ପର୍ଯ୍ୟନ୍ତ ବିଜେପି କିମ୍ବା ଶିବସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ମାତ୍ର ଏହି ଟ୍ୱିଟ୍ ମହାରାଷ୍ଟ୍ରର ରାଜନୀତିକୁ ସରଗରମ କରିପକାଇଛି ।
ପ୍ରକାଶ ଯେ, ମହାରାଷ୍ଟ୍ରରେ ଶିବସେନା-ବିଜେପି ଶାସନ ରହିଛି ଏବଂ ଦେବେନ୍ଦ୍ର ଫଡନଭୀସ୍ ବିଜେପି ନେତା ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଅନ୍ୟପକ୍ଷେ ରାଜ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ନିର୍ବାଚନ ହେବାର ସମ୍ଭାବନା ରହିଛି । ୨୮୮ ଆସନ ବିଶିଷ୍ଟ ଏହି ରାଜ୍ୟରେ ବିଜେପି ପାଖରେ ସବୁଠୁ ଅଧିକ ୧୨୨ ସିଟ୍ ରହିଛି । ଏହାର ସହଯୋଗୀ ଶିବସେନା ପାଖରେ ୬୩ଟି ଆସନ ଥିବା ବେଳେ ବିରୋଧୀ କଂଗ୍ରେସ ପାଖରେ ୪୨ ଏବଂ ଏନ୍ସିପି ପାଖରେ ୪୧ ସିଟ୍ ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ଶିବସେନା ଓ ବିଜେପି ମଧ୍ୟରେ ତୁ ତୁ ମେ ମେ ସ୍ଥିତି ଉପୁଜିଥିଲା । ଏପରିକି ଶିବସେନା ୨ଠ୧୯ ସାଧାରଣ ନିର୍ବାଚନ ଏକାକୀ ଲଢ଼ିବ ବୋଲି ଘୋଷଣା କରିଥିଲା । ତେବେ ବହୁ ମାନସ ମନ୍ଥନ ପରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିଥିଲେ । ଉଭୟ ଦଳକୁ ଲୋକସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୧୮ଟି ଆସନ ଅକ୍ତିଆର କରିଛି । ସେହିପରି ଏନସିପି ଖାତାକୁ ୪ଟି ଆସନ ଯାଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ଜିତିବାକୁ ସଫଳ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ