ମହା କାର୍ତ୍ତିକ : ଅଁଏଳା ମାହାତ୍ମ୍ୟ
ଧର୍ମମାସ କାର୍ତ୍ତିକ । ଏହି ମାସରେ ଧନ୍ୱନ୍ତରୀ ପୂଜା, ନରକ ଚତୁର୍ଦ୍ଦଶୀ କାଳୀପୂଜା, ଦୀପାବଳୀ ଗୋବର୍ଦ୍ଧନ ପୂଜା, ଶୁକ୍ଲ ପକ୍ଷରେ ନାଗୁଣୀ ଚଉଠି, ଗୋଷ୍ଟାଷ୍ଟମୀ ଅଁଳା ନବମୀ, ରାଧା ଦାମୋଦର ପୂଜା, କାର୍ତ୍ତିକ ବ୍ରତ, ତୁଳସୀ ପୂଜା, ବଡ଼ ଏକାଦଶୀ ପାଳନ, ପଞ୍ଚୁକ, ଦୀପଦାନ, ପିତୃ ପୁରୁଷଙ୍କୁ ପିଣ୍ଡଦାନ, ଏବଂ ପରିଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସପୂର୍ଣ୍ଣିମା ଇତ୍ୟାଦି ଅନେକ ପର୍ବ ପଡ଼େ । ପ୍ରତିଟି ପର୍ବ, ଓଷା ଏବଂ ବ୍ରତର ପଛରେ ନିର୍ଦ୍ଦିଷ୍ଟ କାହାଣୀଟିଏ ଅଛି ।
ଅଁଳା ନବମୀ ଏ ଦୃଷ୍ଟିରୁ ସ୍ୱତନ୍ତ୍ର । ଏହି ଦିବସଟି କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ଦିନ ପଡ଼େ । ଏହିଦିନ ଅନେକ ଲୋକ ବିଶେଷକରି କାର୍ତ୍ତିକ ବ୍ରତଚାରୀ ସାକ୍ଷୀଗୋପାଳଙ୍କୁ ରାଧାପାଦ ଦର୍ଶନ ନିମନ୍ତେ ଯାଆନ୍ତି । ହବିଷ୍ୟାଳୀମାନେ ଏହିଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି । ଅଁଳା ଏକ ବୃକ୍ଷ ବୋଲି ଆମେ ଜାଣୁ; କିନ୍ତୁ ଅଁଳା କିଏ? କାର୍ତ୍ତିକ ମାସରେ ସେ ପୂଜା ପାଆନ୍ତି କାହିଁକି (?), ସେକଥା ଜାଣିବା କଥା ।
ଅଁଳା, ତୁଳସୀ ଏବଂ ମାଳତୀ ବୃନ୍ଦାବତୀଙ୍କର ତିଗୁଣ ରୂପରୁ ଗୋଟିଏ ଗୋଟିଏ । ବୃନ୍ଦାବତୀ ଥିଲେ ରାକ୍ଷସ ଜରାସନ୍ଧର ପତ୍ନୀ । ସେ ଜଣେ ସତୀ ଓ ସାଧ୍ୱୀ । ତାଙ୍କର ସତୀତ୍ୱ ପ୍ରଭାବରୁ ଜରାସନ୍ଧ ବଳବାନ ଏବଂ ଅଜେୟ ଥିଲା । କଥାଥିଲା ଯେଯାଏଁ ବୃନ୍ଦାବତୀଙ୍କର ସତୀତ୍ୱ ଅପହରଣ ନହୋଇଛି ଜରାସନ୍ଧ ମରିବ ନାହିଁ ଏବଂ ଦେବ, ଦାନବ ଓ ମାନବଙ୍କୁ ହନ୍ତସନ୍ତ କରୁଥିବ । ତାହାହିଁ ସେ କରୁଥିଲା । ନାରାୟଣ ମାୟାରେ ଜଳନ୍ଧର ରୂପ ଧରି ବୃନ୍ଦାବତୀଙ୍କୁ ଧର୍ଷଣ କଲେ । ଫଳରେ ଜରାସନ୍ଧ ମଲା । ଛଦ୍ମବେଶୀ ନାରାୟଣଙ୍କୁ ଯେତେବେଳେ ବୃନ୍ଦା ଜାଣିପାରିଲେ, ସେ ତାଙ୍କୁ ଅଭିଶାପ ଦେଲେ ଯେ ତାଙ୍କ ସ୍ତ୍ରୀକୁ ସେମିତି ଆର ଜନ୍ମରେ ରାକ୍ଷସ ହରଣ କରୁ । ତାହାହିଁ ବୋଧେ ଘଟିଲା ରାମଙ୍କ ପ୍ରତି ।
ଏହାପରେ ସେ ଅଗ୍ନିିରେ ଝାସ ଦେଲେ । ସେ ଆତ୍ମା ଆକାଶ ଉଠିଲା । ସେ ଆତ୍ମାକୁ ଧରି ତିନିବୀଜ ଭୂପତିତ ହେଲେ । ସେଥିରୁ ଯଥାକ୍ରମେ ତିନିଗୁଣ ଧରି ଅଁଳା, ତୁଳସୀ ଓ ମାଳତୀ ସୃଷ୍ଟି ହେଲେ :
ରାଜଗୁଣରେ ସରସ୍ୱତୀ, ତା’ଅଂଶେ ଧାତ୍ରୀ ଉତ୍ପତ୍ତି
ତୁଳସୀ ସତ୍ୱଗୁଣେ ଜାତ । ଗଉରୀ ଅଂଶରେ ବିଜିତ,
ଉମା ଅଂଶରେ ତମୋ ଗୁଣେ । ମାଳତୀ ଉପୁଜିଲା ବନେ
ଏସବୁ ବିଷ୍ଣୁଙ୍କ ମାୟାରୁ ହିଁ ଘଟିଥିଲା । ମାଳତୀ ଫୁଲ ତା’ର ତମ ଗୁଣ ହେତୁ ଲକ୍ଷ୍ମୀଙ୍କ ପ୍ରିୟ ହୋଇନପାରି ବନରେ ଦୂରେଇ ରହିଲା । ଦ୍ୱାପର ଯୁଗରେ ବନଫୁଲ ହୋଇ ସେ ଶ୍ରୀକୃଷ୍ଣଙ୍କୁ ଶୋଭିବ ବୋଲି କଥା ହେଲା । କେବଳ ଅଁଳା ଏବଂ ତୁଳସୀଙ୍କୁ ଧରି ବିଷ୍ଣୁ ସ୍ୱର୍ଗ ଗଲେ । ବିଷ୍ଣୁଙ୍କ ଚାହିବାରେ ମାଳତୀ ମର୍ତ୍ତ୍ୟ ଭୋଗ କଲେ; ଅଁଳା ମର୍ତ୍ତ୍ୟ ଓ ସ୍ୱର୍ଗ; କିନ୍ତୁ ତୁଳସୀ ତ୍ରିପୁରରେ ପୂଜା ପାଇଲେ ।
ଧାତ୍ରୀ ତୁଳସୀ ବୃକ୍ଷ ବେନି । ତାହାଙ୍କୁ ସଙ୍ଗତରେ ଘେନି
ବୈକୁଣ୍ଠ ବୀଜେ ଲକ୍ଷ୍ମୀପତି । ଅରଣ୍ୟେ ରହିତେ ମାଳତୀ
ଏହାପରେ ସେମାନଙ୍କୁ ନିଜସ୍ୱ ସ୍ୱତନ୍ତ୍ର ଗୁଣାବଳୀ ଦ୍ୱାରା ମଣ୍ଡିତ କଲେ :
ଧାତ୍ରୀ ଛାୟାରେ ଯେଉଁଜନ ।
କରିବ ଗୋବିନ୍ଦ କିର୍ତ୍ତନ
ଦଣ୍ଡକେ ଦଶଯୁଗ ଲେଖି
ମୁଁ ପୁରେ ବସି ହେବ ସୁଖୀ
କାର୍ତ୍ତିକ ଧାତ୍ରୀ ବୃକ୍ଷ ତଳେ
ହବିଷ ଅନ୍ନ ଏକ ବେଳେ
ଯେଜନ କରିବ ଭୋଜନ
ତା’ପାପ ହୋଇବ ଦହନ
ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷି ।
ସେ ଦୋଷ ନରହିବ କିଛି
ନିର୍ମଳ ହୋଇବ ଶରୀର ।
ତେଣୁ ଅଏଁଳା ନାମତା’ର
ଅଏଁଳା, ତୁଳସୀ, ମାଳତୀ,
ଏତିନି ମୋହ ପ୍ରିୟ ଅତି
ବିଶେଷ ତୁଳସୀ ପ୍ରଧାନ ।
ସଂସାରେ ମୋହରି ସମାନ
– କାର୍ତ୍ତିକ ମାହାତ୍ମ୍ୟ : ପଦ୍ମପୁରାଣ ।
ଉପରୋକ୍ତ କାରଣରୁ ତୁଳସୀଙ୍କୁ ମାହାତ୍ମ୍ୟ ତଳକୁ ଅଏଁଳାଙ୍କର ଅଛି । ଏଣୁ କାର୍ତ୍ତିକ ପରି ଧର୍ମମାସରେ ସେ ମଧ୍ୟ ପୂଜ୍ୟା । ଅଁଳା ଗଛ ମୂଳକୁ ଧର୍ମମାସରେ ଗୋବରରେ ଲିପି ଯଥାବିଧି ପୂଜା କରାଯାଏ । ବିଷ୍ଣୁ ନାମ ସ୍ମରଣ ପୂର୍ବକ ତା’ ଚାରିପଟେ ବୁଲାଯାଏ । ଅଥବା ନାମ ସଂକୀର୍ତ୍ତନ କରାଯାଏ । ତେବେ ରାଧାଙ୍କ ସହିତ ଅଁଳାଙ୍କର ସଂପର୍କିତ ହେତୁ ଅଁଏଳା ନବମୀ ତିଥି ଗୁରୁତ୍ୱପୂର୍ଣ୍ଣ । ଏଣୁ ସେଦିନକୁ ଅଁଳା ନବମୀ କୁହାଯାଏ ।
ଧାର୍ମିକ ଦୃଷ୍ଟିକୋଣରୁ ଅଁଳା କଥା ଜାଣିଲ । ଧର୍ମ ବିଜ୍ଞାନ ସମ୍ମତ ହେବା ଉଚିତ୍ । ପ୍ରକୃତରେ ଏହା ଧର୍ମ ନାଁରେ ପ୍ରକୃତି ପୂଜା । ପୂଜା ହେଉଛି, ଏକ ଉପକାରର ସ୍ମୃତି ଗାନ ଏବଂ ତା’ ମହତ୍ୱର ପ୍ରତିପାଦନ । ଅଁଳା ପୂଜା ବୃକ୍ଷ ପୂଜା, । ଅଁଳାର ଓøଷଧିୟଗୁଣ କିଏ ନଜାଣେ? ଆୟୁର୍ବେଦୀୟ ମତରେ ଅଁଳା ହେଉଛି ପୃଥିବୀର ସର୍ବୋତ୍ତମ, ସର୍ବଶ୍ରେଷ୍ଠ ମହୋଷଧି । ଏହା ବାର୍ଦ୍ଧକ୍ୟକୁ ଦୂରକରେ, ପେଟ ସଫାକରେ ଏବଂ ବାତ, କଫ ଓ ପିତର ଅମୋଘ େଓøଷଧ । ଶୁଣାଯାଏ ମହର୍ଷିଚ୍ୟବନ ଅଁଳା ପ୍ରସ୍ତୁତ ଚ୍ୟବନପ୍ରାସ ଖାଇ ବାର୍ଦ୍ଧକ୍ୟରୁ ଯୌବନପ୍ରାପ୍ତ ହୋଇଥିଲେ । ଏଣୁ ଅଁଳା ପୂଜା ବିଜ୍ଞାନ ଓ ଧାର୍ମିକ ଦୃଷ୍ଟିରୁ ଯଥାର୍ଥ । ଏଣୁ ଏହାକୁ ଯିଏ ଯୋଉ ଦୃଷ୍ଟିରୁ ପୂଜା କରୁଛି କରୁ ।
ବିପିନ ବିହାରୀ ମହାନ୍ତି
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮


