ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବୁଧବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ୩ଲକ୍ଷ ୮ହଜାର ପରିବାରର ପ୍ରାୟ ୧୧ଲକ୍ଷ ସଦସ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଜିଲ୍ଲା ତଥା ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିବ ବୋଲି ସେ କହିଥିଲେ । ଏହା ଦ୍ୱାରା ରାଜ୍ୟର ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଜମିବାଡି, ସୁନାଗହଣା ବିକ୍ରି କରିବାକୁ ବାଧ୍ୟ ହେବା ସହ ଋଣ କରିବାକୁ ମଧ୍ୟ ପଛାଇନଥାନ୍ତି । ଫଳରେ ଆର୍ôଥକ ସମସ୍ୟା ଯୋଗୁ ସେମାନଙ୍କ ପିଲାମାନଙ୍କ ପାଠପଢା ବନ୍ଦ ହୋଇ ଯାଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ମାସ ୧ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡରେ ଗରିବ ଲୋକମାନେ ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାର ୧୮,୫୪୬.୯୧ଲକ୍ଷ ଟଙ୍କାର ୪୮ଟି ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୧୩,୪୦୨୫.୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦୪ଟି ଜନ କଲ୍ୟାଣ ଯୋଜନା ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ହିତାଧିକାରୀମାନେ ୫୬ଟି ସରକାରୀ ଓ ୯ଟି ବେସରକାରୀ ଚିକିତ୍ସାଳୟରେ ଏହି ସ୍ମାର୍ଟ ହେଲ୍‌ଥକାର୍ଡର ସୁବିଧା ପାଇପାରିବେ । ଏହି ଉପଲକ୍ଷେ କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ଦୂରଦର୍ଶି କାର୍ଯ୍ୟକ୍ରମ ଯୋଗୁଁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ତଥା ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ମତ ବ୍ୟକ୍ତ କରିଥିଲେ । ମିଶନ ଶକ୍ତି ଯୋଗୁଁ ଓଡିଶାରେ ନାରୀ ଶକ୍ତି ସଶକ୍ତ ହେବା ସହ ସ୍ୱାବଲମ୍ବୀ ହୋଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ପୂର୍ବତ୍ତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଶଚିଦାନନ୍ଦ ମିଶ୍ର, କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମର ଦାସ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେସ ଦାସ, ସଞ୍ଜୟ କୁମାର ଜେନା, ପ୍ରତାପ ଚନ୍ଦ୍ର ଦାସ, ଶକ୍ତିକାନ୍ତ ପାତ୍ର, ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥିମାନେ ୬ଜଣ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁନା ତ୍ରିପାଠୀ ଓ ବିଜେଡି ମୁଖପାତ୍ର ସୁଲତା ଦେଓ ସଞ୍ଚାଳନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଉତ୍ସବରେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ