ମୃତ୍ୟୁ ଭୟରେ ୩୦ ବର୍ଷ ହେଲା ଧାରଣ କରିଛନ୍ତି ମହିଳା ବେଶ
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ତଥାପି ପ୍ରତ୍ୟେକ ମଣିଷ ମୃତ୍ୟୁକୁ ଭୟ କରି ଥାଆନ୍ତି । ଏମିତି ଏକ ଘଟଣା ସମ୍ପର୍କରେ ଆମେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପୁରୁଷ ମୃତ୍ୟୁ ଭୟରେ ୩୦ ବର୍ଷ ହେଲା ମହିଳାଙ୍କ ବେଶରେ ରହୁଛନ୍ତି । ସେଥିଲାଗି ଏହି ବ୍ୟକ୍ତି ମଥାରେ ସିନ୍ଦୂର, କାନରେ ଝୁମୁକା, ହାତରେ ଚୁଡ଼ି ଓ ଶାଢ଼ି ପିନ୍ଧୁଛନ୍ତି । ତାଙ୍କର ବେଶ ପୋଷାକ ସମ୍ପୂର୍ଣ୍ଣ ନାରୀଙ୍କ ଭଳି ରହିଛ । ନାରୀଙ୍କ ଭଳି ଶାଢ଼ି ପିନ୍ଧିବା ଓ ସଜା ହେବା ତାଙ୍କର ଶୌକ୍ ନୁହେଁ । ବରଂ ପରିବାର ୧୪ ଜଣ ସଦସ୍ୟଙ୍କୁ ହରାଇବା ପରେ ସେ ଏଭଳି ଜୀବନ ଅତିବାହିତ କରି ଚାଲିଛନ୍ତି ।
ଜଲାଲପୁରର ହୌଜଖାସ୍ ଗାଁର ବାସିନ୍ଦା ୬୬ ବର୍ଷ ବୟସ୍କ ଚିନ୍ତହରଣ ଚୌହାନ ଓରଫ୍ କରୀୟା । ତାଙ୍କର ଜୀବନ କାହାଣୀ କୌଣସି ଏକ ହରର୍ ଫିଲ୍ମଠାରୁ କମ୍ ନୁହେଁ । ୧୪ ବର୍ଷ ବୟସରେ ଚିନ୍ତହରଣ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଜୀବନ ସାଥୀ ତାଙ୍କ ସାଥ୍ ଛାଡ଼ି ଦେଇଥିଲେ । ଏହା ପରେ ୨୧ ବର୍ଷ ବୟସରେ କାମ କରିବା ଲାଗି ଚିନ୍ତହରଣ କୋଲକାତାର ପଶ୍ଚିମ ଦିନାଜପୁର ଚାଲି ଯାଇଥିଲେ । କାମ ସାରିବା ପରେ ରାତିରେ ଚିନ୍ତହରଣ ରୁମକୁ ଫେରି ରୋଷେଇ କରି ଖାଆନ୍ତି । ଜଣେ ବଙ୍ଗାଳୀଙ୍କ କିରାଣି ଦୋକାନରୁ ସେ ରୋଷେଇ ସାମଗ୍ରୀ କିଣିଥାଆନ୍ତି । ଧୀରେ ଧୀରେ ବଙ୍ଗାଳୀ ଦୋକାନୀଙ୍କ ସହ ଚିନ୍ତହରଣଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା । ଦୋକାନୀ ତାଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚିନ୍ତହରଣଙ୍କୁ ପ୍ରସ୍ତାବ ଦେଇଥିଲେ । କିଛି ନ ବୁଝିସୁଝି ବଙ୍ଗୀୟ ଯୁବତୀଙ୍କୁ ସେ ବିବାହ କରିଥିଲେ । ଚିନ୍ତହରଣ ବିବାହ କରି ଗାଁକୁ ଚାଲିଯାଇଥିଲେ । ବଙ୍ଗୀୟ ଯୁବତୀଙ୍କୁ ସେ ବିବାହ କରିଥିବା ଯୋଗୁଁ ତାଙ୍କୁ ପରିବାର ଲୋକ ବିରୋଧ କରିଥିଲେ । ସେ ରାଗରେ ରାତି ଅଧରେ ସ୍ତ୍ରୀଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ । କିଛି ବର୍ଷ ବିତିଗଲା ପରେ ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ତ୍ରୀଙ୍କ ମୃତ୍ୟୁର ଠିକ୍ ବର୍ଷେ ପରେ ଚିନ୍ତହରଣ ଗାଁକୁ ଫେରିଥିଲେ । ପରିବାର ଲୋକ ତାଙ୍କର ତୃତୀୟ ବିବାହ କରି ଦେଇଥିଲେ । ଏହା ପରେ ତାଙ୍କ ପରିବାର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ମୃତ୍ୟୁ ଆରମ୍ଭ ହୋଇଗଲା । ଏମିତି କି ପରିବାର ବାପା-ମାଆ, ଭାଇ-ଭାଉଜ, ପୁତୁରା-ଝିଆରୀ ସମସ୍ତଙ୍କୁ ମିଶାଇ ୧୪ ଜଣଙ୍କ ମୃତ୍ୟୁ ହୋଇଗଲା । ଚିନ୍ତହରଣଙ୍କ କହିବା ଅନୁସାରେ ତାଙ୍କ ଦ୍ୱିତୀୟ ପତ୍ନୀ ସ୍ୱପ୍ନରେ ଆସିଥିଲେ । ଷୋଳ ଶୃଙ୍ଗାର ବେଶରେ ତାଙ୍କୁ ସାଙ୍ଗରେ ରଖିବା ଲାଗି ଚିନ୍ତହରଣଙ୍କୁ କହିଥିଲେ । ଏମିତି ନ କଲେ ପରିବାର ଅନ୍ୟ ସଦସ୍ୟଙ୍କୁ ମାରି ଦେବାକଥା ତାଙ୍କ ଦ୍ୱିତୀୟ ପତ୍ନୀ କହିଥିଲେ । ସେବେଠାରୁ ଅର୍ଥାତ ୩୦ ବର୍ଷ ହେଲା ଚିନ୍ତହରଣ ଏଭଳି ବେଶରେ ରହୁଛନ୍ତି ।


