ମେଦହ୍ରାସ କରିବ ଲାଲ ଲଙ୍କାରୁ ତିଆରି ଔଷଧ
ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ମୋଟାପଣ ନିଜ ସହ ମଧୁମେହ,ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ଥାଇରଏଡ୍ ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ । ଆମେରିକାର ୟ୍ୟାମିଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ଲାଲ ଲଙ୍କାରୁ ଏକ ଔଷଧ ତିଆରି କରିଛନ୍ତି, ଯାହା ଦୀର୍ଘସମୟ ପର୍ଯ୍ୟନ୍ତ ଆପଣଙ୍କ ଶାରୀରିକ ଓଜନକୁ ସନ୍ତୁଳିତ ରଖିବ ଏବଂ ମୋଟାପଣ ଦୂର କରିବାରେ ସାହାଯ୍ୟ କରିବ । ଗବେଷକଙ୍କ ଅନୁସାରେ, ଲାଲ ଲଙ୍କାରେ କ୍ୟାପ୍ସାଇସିନ୍ ନାମକ ତତ୍ତ୍ୱ ଥାଏ, ଯାହା ଲଙ୍କାକୁ ରାଗ ବା ଜ୍ୱଳନ ପ୍ରଦାନ କରେ । ଏହି ତତ୍ତ୍ୱ ଚର୍ବିହ୍ରାସ, ମୋଟାପଣ ଦୂର କରିବା ଏବଂ ମେଟାବଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିଥାଏ । ପ୍ରମୁଖ ଗବେଷକଙ୍କ ଅନୁସାରେ, କ୍ୟାପ୍ସାଇସିନ୍ରୁ ତିଆରି ଔଷଧ ଶରୀରରେ ପ୍ରବେଶ କରିବା ପରେ ପୂରାଦିନ ଚର୍ବି ସହ ଲଢ଼େଇ କରିଥାଏ । ଏହା ଦ୍ୱାରା ଶରୀର ଭିତରେ କୌଣସି ପ୍ରକାର ଜ୍ୱଳନ ହୋଇନଥାଏ । ଏହା ମଧୁମେହ, କାଲେଷ୍ଟରାଲ୍ ଏବଂ ଇନ୍ସୁଲିନ୍କୁ ସନ୍ତୁଳିତ ରଖିଥାଏ । ଗବେଷକମାନେ ଏହି ଔଷଧକୁ ପ୍ରାୟ ୮ ମାସ ପର୍ଯ୍ୟନ୍ତ ମୂଷାଙ୍କ ଉପରେ ପରୀକ୍ଷଣ କରିଥିଲେ । କୌଣସି ଦୁଷ୍ପରିଣାମର ସୁରାକ୍ ମିଳି ନ ଥିବା ବେଳେ ଓଜନ ହ୍ରାସ ହୋଇଥିଲା ।


