ଯାତାୟତ ପାଇଁ ରାସ୍ତା ନାହିଁ; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୩ଟି ଗ୍ରାମର ଲୋକେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତରେ ଯାତାୟତ ପାଇଁ ରାସ୍ତା ନଥିବାରୁ ୧୦ନଂ.ୱାର୍ଡ ଅଧିନ ୩ଟି ଗ୍ରାମର ୬ ଶହ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଣିଜାଙ୍ଗ ପଞ୍ଚାୟତ ରାସ୍ତା ଦେଇ ୧୨ କିମି ବୁଲି ଲୋକେ ଯିବାଆସିବା କରୁଛନ୍ତି । ଏସଂପର୍କରେ ନଈପାରିଗଢିଆ ଗ୍ରାମର ସ୍ୱାଇଁ ସାହି, ଜେନାସାହି, ପରିଡା ସାହିର ଲୋକ ମାନେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସଂପୃକ୍ତ ଗ୍ରାମର ଲୋକ ମାନେ ଚାଉଳ, ଗହମ, କିରୋସିନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୧୨ କିମି ରାସ୍ତା ଅତିକ୍ରମ କରି ଯାଉଛନ୍ତି । ଉକ୍ତ ଗ୍ରାମବାସୀଙ୍କ ସୁବିଧା ପାଇଁ ଗତ ୨ ବର୍ଷ ପୂର୍ବେ ପଞ୍ଚାୟତ ଅଫିସ ପାଖ କପାଳୀ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ହୋଇଥିଲା । ମାତ୍ର ବ୍ରିଜ୍କୁ ସଂଯୋଗ କରୁଥିବା ରାସ୍ତା ଏପର୍ଯ୍ୟନ୍ତ ତିଆରି ହୋଇପାରିନାହିଁ । ଖରାଦିନେ ଲୋକ ମାନେ ବିଲରେ ପଶି ଯାତାୟତ କରୁଥିବା ବେଳେ ବର୍ଷା ଦିନେ ସେମାନଙ୍କୁ ୧୨କିମି ରାସ୍ତା ବୁଲି ଯିବାକୁ ପଡୁଛି । ବିଶେଷକରି ଉକ୍ତ ଗ୍ରାମର ଛାତ୍ରଛାତ୍ରୀ ମାନେ ୧୨ କିମି ରାସ୍ତା ଅତିକ୍ରମ କରି ଉଚ୍ଚ ଶିକ୍ଷା ପାଇଁ ଯାଉ ଛନ୍ତି । ୩ କିିମି ଦୂରତ୍ୱ ବିଶିଷ୍ଟ ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ସଂପୃକ୍ତ ଗ୍ରାମର ଲୋକେ ବ୍ଲକ ଓ ଜିଲା ପ୍ରଶାସନ ଠାରେ ଦାବୀ କରିଛନ୍ତି ।


