ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଯାତ୍ରୀ ଆତଙ୍କିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ସହର ମଧ୍ୟରେ ଏକ ଚଳନ୍ତା ସରକାରୀ ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଚାଳକଙ୍କ ଉପସ୍ଥିତ ବୁଦ୍ଧି ବଳରେ ଯାତ୍ରୀ ମାନେ ସୁରକ୍ଷିତ ଅବସ୍ଥାରେ ଗାଡିରୁ ଓହ୍ଲାଇ ପଡିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ରବିବାର ପ୍ରାୟ ସାଢେ ୮ଘଣ୍ଟା ସମୟରେ ନୟାଗଡ ଠାରୁ ଏକ ସରକାରୀ ଯାତ୍ରୀବାହୀ ବସ୍ (ଓଡି୦୭ଡି ୭୭୦୩) ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ସହର ଚନ୍ଦ୍ରକଳ୍ପେଶ୍ବର ମନ୍ଦିର ସମ୍ମୁଖରେ ହଠାତ୍ ବସ ଇଞ୍ଜିନ ମଧ୍ୟରୁ ରେ ନିଆଁ ଲାଗିଯାଇଥିଲା। ବସ୍ ଇଞ୍ଜିନରୁ ନିଆଁ ଲାଗି ହଠାତ୍ ହୁତୁହୁତୁ ହୋଇ ଜଳୁଥିବା ବେଳେ ଚାଳକ ବସକୁ ଜାତୀୟ ରାଜପଥ ଉପରେ ରଖି ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦେଇଥିଲେ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ନିଆଁ ଲିଭିବା ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିକୁ ଠେଲି ବିଜୁ ପଟ୍ଟନାୟକ ଛକ ପ୍ବାର୍ଶ୍ବରେ ରଖିଥିବା ଦେଖିବାକୁ ମିଳିଛି।