ଯୁକ୍ତ ଦୁଇ ଡ୍ରପଆଉଟ୍ ,ଏକ୍ସରେଗୁଲାର ଛାତ୍ରଛାତ୍ର୍ରୀଙ୍କ ବିକ୍ଷୋଭ
ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଯୁକ୍ତ ୨ ଡ୍ରପଆଉଟ ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପ୍ରତି ଶ୍ରେଣୀ ଉତୀର୍ଣ୍ଣ ମୂଲ୍ୟାୟନରେ ଗଣ ଶିକ୍ଷା ବିଭାଗ କରିଥିବା ପକ୍ଷପାତିତା ପ୍ରତିବାଦରେ ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରବଳ ବର୍ଷାକୁ ଖାତିର ନକରି ତିନି ଘଂଟା ଧରି ଆନ୍ଦୋଳନ ଜାରି ରହିବା ସହ ରାଜରାସ୍ତା ଅବରୋଧ କରାଯାଇଥିଲା । ପରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ନବୀନ ନିବାସ ଘେରାଉ କରିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ୍ -ବିକ୍ଷୋଭକାରୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ପ୍ରରୀପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ ଜୁନ ୪ ୨୦୨୧ ରେ ମୁଖ୍ୟମନ୍ତ୍ରୀ +୨ ପରୀକ୍ଷା କୋଭିଡ ପାଇଁ ବାତିଲ କରିଥିଲେ ଓ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ସମସ୍ତଙ୍କର ମୂଲ୍ୟାୟନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଜୀବନ ଆଗ ବାକି ସବୁ ପଛ । ୧୮ ଜୁନ ୨୦୨୧ କାଉନସିଲ ଯେଉଁ ପ୍ରଣାଳୀ ବାହାର କଲା ସେଥିରେ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପାତର ଅନ୍ତର କରାଗଲା । ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଙ୍କୁ ଯେତେବେଳେ ପିଲା ପଚାରିଲେ ସେ କହିଲେ ଯେ ଛାତ୍ରଛାତ୍ରୀଙ୍କ ବହୁତ ଜଳଦି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ବାହାର କରାଯିବ । କିନ୍ତୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନୋଟିଫିକେସନ ବାହାର କଲେ ନାହିଁ । ୩୧ ଜୁଲାଇରେ ମନ୍ତ୍ରୀ ସମୀର ଦାସ ଘୋଷଣା କଲେ ଯେ ଡ୍ରପଆଉଟ ଓ ଏକ୍ସରେଗୁଲାର ପିଲାମାନେ ଅଫଲାଇନ ପରୀକ୍ଷା ଦେବେ । ଏହା ସଂପୂର୍ଣ୍ଣ ଅନ୍ୟାୟ ଓ ପକ୍ଷପାତିତା । ଗୋଟିଏ ସିଲାବସ, ଗୋଟିଏ ପ୍ରଶ୍ନପତ୍ର, ଗୋଟିଏ ଦିନରେ ପରୀକ୍ଷା ଗୋଟିଏ ଦିନରେ ରେଜଲ୍ଟ ତ ରେଗୁଲାର, ଓ ଏକ୍ସ ରେଗୁଲାର ମାର୍କ ପ୍ରୋସେସରେ କ’ଣ ପାଇଁ ଅନ୍ତର ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । କାଉନସିଲର ଭୁଲ ପ୍ରଣାଳୀ ପାଇଁ ଏକ୍ସ ରେଗୁଲାର ୨୬% ପାସ କରିଛନ୍ତି, ରେଗୁଲାର ୯୯% ପାସ କରିଛନ୍ତି । ଏକ୍ସରେଗୁଲାର ଏବଂ ଡ୍ରପଆଉଟ ପିଲାଙ୍କର ଦାବି ଯେ ସେମାନଙ୍କୁ ଦଶମ ମାର୍କ ଆଧାରରେ ପାସ କରାଯାଉ । ଆଗକୁ ହେବାକୁ ଥିବା ଅଫଲାଇନ ପରୀକ୍ଷା ସ୍ଥଗିତ ରଖାଯାଉ ଓ ୯ ତାରିଖ ପର୍ଯ୍ୟନ୍ତ ହେଉଥିବା ଫର୍ମ ଫିଲଅପ୍ ବନ୍ଦ କରନ୍ତୁ । ଏହି ପିଲାମାନଙ୍କୁ +୩ ଆଡମିଶନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ । ୨୬ ହଜାର ପିଲାମାନଙ୍କ ଜୀବନ ସହିତ ସରକାର ଖେଳ ଖେଳିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁନିଲ ମାଟିଆ, ଅଭିରାମ ଗୌଡ଼, କାର୍ତିକ କାଣ୍ଡି, ସାଗର ପଟ୍ଟନାୟକ, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


