ଯୁବ ଧାବକଙ୍କ ପ୍ରଶିକ୍ଷଣ ପାଇଁ ପ୍ରତିଶୃତି ଦେଲେ ଜନପ୍ରତିନିଧି
ବନ୍ତ,( ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ମାଟିର ଗର୍ବ ଓ ଗୌରବ ହେଉଛନ୍ତି ଯୁବ ଧାବକ ତଥା ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁତ୍ର ସୌରଭ ସେଠୀ । ସେନାବାହିନୀରେ ଯୋଗ ଦେଇ ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ଇଛା ରଖିଥିବା ସୌରଭ ହାଇସ୍କୁଲ ପାଠ ପଢା ଠାରୁ ଦୌଡିବା ଅଭ୍ୟାସ ଜାରି ରଖିଛନ୍ତି । ତାଙ୍କର ଦୃଢ ଇଛାଶକ୍ତି ତାଙ୍କୁ ମା’ତାରିଣୀଙ୍କ ପୀଠ ଘଟଗାଁ ଓ ଶ୍ରୀକ୍ଷେତ୍ର ପୁରୀକୁ ଟାଣି ନେଇଥିଲା । ଗତ ଫେବୃଆରୀ ମାସରେ ବନ୍ତରୁ ଘଟଗାଁ ୭୦ କିମି ଓ ବନ୍ତରୁ ପୁରୀ ୨୩୦ କିମି ରାସ୍ତା ବିନା ବିରତିରେ ଦୌଡି ଗନ୍ତବ୍ୟସ୍ଥଳରେ ପହଞ୍ôଚ ପାରିଥିଲେ । ତାଙ୍କର ପାରଦର୍ଶିତାରେ ଜିଲ୍ଲାବାସୀ ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରସରକୁ ଆସିଥିଲେ । ତାଙ୍କୁ ସରକାରୀ ସ୍ତରରେ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇ ଦେବା ନେଇ ଗତ ଫେବୃଆରୀ ମାସରେ ବନ୍ତ ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଓ ସାମାଜିକ କର୍ମୀ ମାନେ ରାଜ୍ୟ କ୍ରୀଡା ମନ୍ତ୍ରୀ, ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଇତି ମଧ୍ୟରେ କୋଭିଡ୍-୧୯ କଟକଣା ଯୋଗୁ ଅଞ୍ଚଳବାସୀଙ୍କର ଦାବୀ କାର୍ଯ୍ୟକାରୀ ହେବାରେ ବିଳମ୍ବ ଦେଖାଯାଇଛି । ସେହିପରି କୋଭିଡ୍-୧୯ ସମୟରେ ଅସହାୟ, ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସହାୟତା କରିବା ସହିତ ଆହତ ପ୍ରାଣୀଙ୍କୁ ଚିକିତ୍ସା କରି ସୌରଭ ବେଶ ଚର୍ଚ୍ଚାରେ ଅଛନ୍ତି । ଶନିବାର ସେ ବନ୍ତ ବଜାରରେ କୋଭିଡ୍ ସଚେତନତା ପୂର୍ବକ ସ୍ଥାନୀୟ ଲୋକ ମାନଙ୍କୁ ମାସ୍କ ବଣ୍ଟନ କରିଥିବା ଜଣାଯାଇଛି । ସୌରଭଙ୍କ ପ୍ରତିଭା ଓ ସାମାଜିକ କାର୍ଯ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ ଖୁସିବ୍ୟକ୍ତ କରିବା ସହିତ ତାଙ୍କର ପ୍ରଶିକ୍ଷଣ ପାଇଁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସରକାରୀ ସ୍ତରରେ ସୌରଭଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଗଲେ ଆଗାମୀ ଦିନରେ ସେ ଜଣେ ଭଲ କ୍ରୀଡାବିତ୍ ହୋଇପାରିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି ।


