ଯୋଡାରେ ଉତ୍କଳ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
ଯୋଡ଼ା (ଯୁଗାଦ୍ଦ) : ସହରରେ ସବୁ ବର୍ଷ ପରି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ନେଇ ମଙ୍ଗଳବାର ଯୋଡା ପୌରପାଳିକା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟର ସଭାପତି ସିଦ୍ଧାର୍ଥ ସାରଥୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ଭାବେ ଚମ୍ପୁଆ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ଟ୍ରଷ୍ଟର ଉପ ସଭାପତି ପ୍ରକାଶ ମହାନ୍ତି, ସଂପାଦକ ବେଣୁଧର ବେହେରା, ଯୋଡା ବିକାଶ ପରିଷଦର ସଭାପତି ନିରଂଜନ ବହିଦାର, ସଂପାଦକ ସୁଶାନ୍ତ ବାରିକ , ଚର୍ଚ୍ଚିଲ ମହାକୁଡ ପ୍ରମୁଖଙ୍କ ସମେତ ଯୋଡାର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଟାଟାଷ୍ଟିଲର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ହୋଇଥିବା ଏହି ବୈଠକରେ ଗତ ବର୍ଷ ଉତ୍କଳ ଦିବସ ପାଳନ ସମସ୍ତ ବ୍ୟୟ ଅଟକଳ ବିବରଣୀ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ କିପରି ଭାବେ ଏହି ଉପାନ୍ତ ଅଂଚଳରେ ଓଡିଶା ଦିବସକୁ ଅତି ଆଡମ୍ବର ଭାବେ ପାଳନ କରାଯିବ ସେନେଇ ବୈଠକରେ ମନ୍ଥନ କରାଯାଇଥିଲା । ଏଥିରେ ସମସ୍ତେ ନିଜ ନିଜର ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଦିନ ସକାଳ ସମୟରେ ବିଭିନ୍ନ ସାଂସ୍କୃତିକ ସଂଗଠନ ଦ୍ୱାରା ପାରମ୍ପରିକ ଓଡିଶାର କଳାସଂସ୍କୃତିକୁ ପରିବେଷଣ କରି ବନେଇକଳାଠାରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯିବ ଏବଂ ସନ୍ଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ବୈଠକରେ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା ।