ରକ୍ଷଣାବେକ୍ଷଣ ନାମରେ ଅଘୋଷିତ ବିଦ୍ୟୁତ କାଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଦ୍ୟୁତ ବିଭାଗର ମନମୁଖୀ ଶାସନ ଅତିମାତ୍ରାରେ ବଢିବାରେ ଲାଗିଛି । କେବଳ ରକ୍ଷଣାବେକ୍ଷଣ ନାମରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । ସୂଚନା ଯୋଗ୍ୟ ଯେ, ପ୍ରତିମାସର ପ୍ରାୟ ୫ଦିନରୁ ଉର୍ଦ୍ଧ ଦିନ ରକ୍ଷଣାବେକ୍ଷଣ ନାମରେ ବିଦ୍ୟୁତ ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏହା ସହ ଅଘୋଷିତ ବିତ୍ୟୁତକାଟର କୌଣସି ଲେଖାଯୁଖା ନାହିଁ । ଏପରି ସ୍ଥଳେ ସହରର ବିଭିନ୍ନ ସ୍ଥାନ ଗୁଡିକରେ ବିଦ୍ୟୁତ ଖୁଣ୍ଟରେ ବୃକ୍ଷଲତା ବ୍ୟାପୁଥିବାର ଦେଖିବାକୁ ମିଳୁଥିବା ବେଳେ କେତେକ ବିଦ୍ୟୁତ ଖୁଣ୍ଟରେ ଘର ଘରକୁ ଯାଇଥିବା ବିଦ୍ୟୁତ ତାର ଗୁଡିକ ଯନ୍ତା ତଥା ବୁଢିଆଣୀ ଜାଲ ସଦୃଶ୍ୟ ଦେଖିବାକୁ ମିଳୁଛି । ଗୋଟିଏ ଖମ୍ବରେ ପ୍ରାୟ ୫୦ରୁ ଉର୍ଦ୍ଧ ତାର ସଂଲଗ୍ନ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଭଳି ରକ୍ଷଣାବେକ୍ଷଣ ନାମରେ ବିଦ୍ୟୁତ କାଟିବାର ତାତ୍ପର୍ଯ୍ୟ କଣ ? ନା ଏହା ପଛରେ ଆଉ କଣ ରହସ୍ୟ ରହିଛି ? ଏଭଳି କିଛି ସନ୍ଦେହଜନକ ପ୍ରଶ୍ନ ମଧ୍ୟରେ ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗ ଘେରି ରହିଥିବାର ଆଲୋଚନା ହେଉଛି ।


