ରାଜ୍ୟରେ ପୁଣି ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ବେଳକୁ ବେଳ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ପୁଣି ନୂଆ ୨୦ଟି ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି । ଚିହ୍ନଟ ୨୦ ମଧ୍ୟରୁ ୧୭ଟି ଗଞ୍ଜାମର ଥିବାବେଳେ ମୟୂରଭଞ୍ଜର ତିନି ଜଣ ରହିଛନ୍ତି । ତିନି ଆକ୍ରାନ୍ତଙ୍କ ସହ କରୋନା ମୟୂରଭଞ୍ଜ ଜିଲ୍ଲା ଛୁଇଁଛି । ପୂର୍ବରୁ ୧୭ଟି ଜିଲ୍ଲାକୁ କରୋନା ବ୍ୟାପି ଥିବାବେଳେ ଆଜି ମୟୂରଭଞ୍ଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଏହା ୧୮କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି। କାଲି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିଲା, ଆଜି ସକାଳୁ ୨୦ଟି ଆକ୍ରାନ୍ତ ଚିହ୍ନଟ ହୋଇ ୨୦୫କୁ ବୃଦ୍ଧି ହୋଇଛି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୪୩ଟି ।
ଆଜି ଚିହ୍ନଟ ୨୦ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର ୧୭ ଆକ୍ରାନ୍ତ ସୁରତରୁ ଫେରିଥିବାର ସୂଚନା ରହିଛି । ଏହି ୧୭ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ଓ ବାକି ୧୬ ଜଣ ପୁରୁଷ ରହିଛନ୍ତି ବୋଲି ଜଣାପଡିଛି। ଯୁବତୀଙ୍କ ବୟସ ୨୦ ବର୍ଷ ବୋଲି ସୂଚନା ରହିଥିବାବଳେ ଅନ୍ୟ ୧୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୭, ୨୭, ୨୦, ୩୮, ୨୯, ୫୦, ୩୦, ୨୯, ୨୧, ୪୩, ୪୩, ୪୯, ୪୬, ୧୮, ୨୪ ବର୍ଷ ବୋଲି ଜଣାପଡିଛି । ସେହିପରି ମୟୂରଭଞ୍ଜର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନେ ମଧ୍ୟ ସୁରତ ଫେରନ୍ତା । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବର୍ଷ ବୋଲି ସୂଚନା ରହିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପିଥିବା ଜଣାଯାଇଛି। ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଏହାଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜ୍ୟରେ ୪୭୪୫୪ କୋଭିଡ ନମୁନା ପରୀକ୍ଷା ହୋଇଥିଲା। କରୋନା ସନ୍ଦେହରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୨୩୪ ଜଣ ପୃଥକବାସରେ ରହିଥିବାର ସୂଚନା ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ