ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ରିଲିଫ ବଣ୍ଟନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ପ୍ରଦାନ କରିଆସିଅଛି । ବର୍ତ୍ତମାନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ମହାମାରୀ କରୋନା ପ୍ରଭାବରେ ବିପର୍ଯ୍ୟସ୍ତ ହୋଇପଡିଥିବା ଅସହାୟ ଲୋକମାନଙ୍କୁ ସହଯୋଗର ହାତବଢ଼ାଇବାକୁ ପଛାଇ ନାହିଁ । ତାଲାବନ୍ଦ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗରୀବ ନିରିହ ଜନସାଧାରଣ ତଥା ୩୪ ନମ୍ବର ୱାର୍ଡର ପରିମଳ ବ୍ୟବସ୍ଥାରେ ନିଯୁକ୍ତ କର୍ମଚାରୀମାନଙ୍କ ସହିତ ଅନ୍ୟାନ୍ୟ ଗରିବ ଲୋକମାନଙ୍କୁ ମଧ୍ୟ ରାଜ୍ୟ ଶାଖା ଆନୁକୂଲ୍ୟରେ ରିଲିଫ ବଣ୍ଟନ କରାଯାଇଛି । ଆଜି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଚାଉଳ, ଡାଲି, ଆଳୁ, ପିଆଜ ଓ ଚୁଡା ଆଦି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଗୁଡିକ ପ୍ୟାକେଟ ତିଆରି କରି ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ସଫେଇ କର୍ମଚାରୀ ତଥା ବିଭିନ୍ନ ବସ୍ତି ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ ବଣ୍ଟନ କରାଯାଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟାଳୟର କର୍ମଚାରୀମାନେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ରଖି ପ୍ୟାକେଟ ଗୁଡିକୁ ବଣ୍ଟନ କରିଥିଲେ । ଏଥିସହିତ କରୋନା ସମୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିତିନିୟମ ଏବଂ ପ୍ରତିକାର ସମ୍ବନ୍ଧିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ବୁଝାଇଥିଲେ ।