ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଗ୍ରାମ୍ୟ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଉପଲକ୍ଷେ ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି । ଯାତ୍ରା କମିଟିର ମ୍ୟାନେଜର କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ପୌରହିତ୍ୟରେ ମା’ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । କୋଭିଡ୍ କଟକଣା ପାଇଁ ଗଲାବର୍ଷ ମା’ଙ୍କ ଯାତ୍ରା ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ଯାତ୍ରା ଯାକଜକମରେ କରିବା ପାଇଁ କମିଟି ସ୍ଥିର କରିଛି । ପୂର୍ବଭଳି ସହରର ବିଭିନ୍ନ ସାହିକୁ ମା’ଙ୍କ ଘଟ ପରିକ୍ରମା ହେବ । ସହରର ବିଭିନ୍ନ ସ୍ଥାନରେ ମେଢ଼ ଏବଂ ମୀନାବଜାରର ଆୟୋଜନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମା’ଙ୍କ ଯାତ୍ରା ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଜନସାଧାରଣଙ୍କ ସହଯୋଗ ପାଇଁ ମଧ୍ୟ ଯାତ୍ରା କମିଟିର ମ୍ୟାନେଜର ଶ୍ରୀ ରେଡ୍ଡୀ କାମନା କରିଛନ୍ତି । ଆଜି ଶୁଭଖୁଣ୍ଟି ସ୍ଥାପନ ବେଳେ କମିଟି ମ୍ୟାନେଜର ଙ୍କ ପତ୍ନୀ ତଥା ଛତ୍ରପୁର ଏନ୍ଏସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, କମିଟିର ଆସିଷ୍ଟାଣ୍ଡ ମ୍ୟାନେଜର ଏମ. ସମରେନ୍ଦ୍ର ସେନାପତି,ପୂର୍ବତନ ମ୍ୟାନେଜର ସିଏଚ. ଚେନ୍ନବାବୁ,କାଉନସିଲର କେ. ରମେଶ, ରାଜୁ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ନରହରି ସ୍ୱାଇଁ, ବଳିଆ ବେହେରା, ଡି. ଜଗଦୀଶ ରାଓ, ଜି. ମନୋଜ ରେଡ୍ଡୀ,କାଉନସିଲର ଅମରେଶ କୁମାର ମହାରଣାଙ୍କ ସମେତ ବହୁ ଯାତ୍ରା କମିଟି ର ସଭ୍ୟ, ମହିଳା ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରିବା ପରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଥିଲା I


