ରାସନ୍ କାର୍ଡ ମିଳିନଥିବାରୁ ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ ମାମଲା : ବାପ, ପୁଅଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ବୋମକେଇ ଗ୍ରାମର ଶତ୍ରୁଘ୍ନ ପ୍ରଧାନ ଙ୍କ ପରିବାରଙ୍କୁ ରାସନ୍ କାର୍ଡ ମିଳିନଥିବା ରୁ ସେ ଓ ତାଙ୍କ ପାରିବାରିକ ଲୋକେ ରକ୍ତମୁଖା ହୋଇ ପଡିଛନ୍ତି।ରାସନ୍ କାର୍ଡ ଓ ଲେବର କାର୍ଡ ହିତାଧିକାରୀ ଙ୍କୁ କରୋନା ପାଇଁ ସରକାରୀ ଆର୍ଥିକ ସହାୟତା ବଣ୍ଟନ ବେଳେ ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା ଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବୋମକେଇ ଗାଁ ର ଅଭିଯୁକ୍ତ ଶତ୍ରୁଘ୍ନ ଓ ତାଙ୍କ ନାବାଳକ ପୁଅ ଙ୍କୁ କେ. ନୂଆଗାଁ ପୋଲିସ ଗୁରୁବାର ଗିରଫ କରି ଥାନା ମାମଲା ନଂ.୯୦/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ନାମଞ୍ଜୁର ହେବାରୁ ଶତ୍ରୁଘ୍ନ ଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି।ସେହିପରି ଅନ୍ୟତମ ଅଭିଯୁକ୍ତ ନାବାଳକ ଙ୍କୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।ପୋଲିସ ର ସୂଚନାନୁସାରେ ଭଗବାନଙ୍କ ମାଆ ଉଷା ବାଡ ତ୍ୟା ସରପଞ୍ଚ ଥିବାରୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ ଟା ରେ ସରପଞ୍ଚ ପ୍ରତିନିଧି ତଥା ତାଙ୍କ ପୁଅ ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , ଜି ଆର ଏସ ଶିବ ସେଠୀ, ୱାର୍ଡ ସଭ୍ୟ କୃଷ୍ଣ ପ୍ରଧାନ ପ୍ରମୁଖ ଗାଁ ରେ ରାସନ୍ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ସହାୟତା ଅର୍ଥରାଶି ବଣ୍ଟନ କରୁଥିବା ବେଳେ ଶତ୍ରୁଘ୍ନ ତାଙ୍କ ଘର ସମ୍ମୁଖ ରେ ଭଗବାନଙ୍କୁ ଜବରଦସ୍ତ ଅଟକାଇ ମୋର ରାସନ୍ କାର୍ଡ ତୁ କାହିଁକି କରାଇଦେଉନୁ କହି ଗାଳିଗୁଲଜ କରିଥିଲେ।ଭଗବାନ ପ୍ରତିବାଦ କରିବାରୁ ଶତ୍ରୁଘ୍ନ ଓ ତାଙ୍କ ସ୍ତ୍ରୀ ସେଠାକୁ ଆସି ତାଙ୍କୁ ଟଣାଓଟରା କରିଥିଲେ।ପରେ ତାଙ୍କ ନାବାଳକ ପୁଅ ସେଠାକୁ ଧାଇଁ ଆସି ଏକ କାତି ରେ ଭଗବାନଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଚୋଟ ପକାଇବା ବେଳେ ସେ ଘୁଞ୍ଚି ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।ଏନେଇ ଏତଲା ହେବା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ କହିଛନ୍ତି।