ରାସ୍ତାପାଶ୍ୱର୍ ବେଆଇନ ନିର୍ମାଣକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଜନ ଗହଳିପୂର୍ଣ୍ଣ ରାସ୍ତା ପାଶ୍ୱର୍ରେ ବେଆଇନ ନିର୍ମାଣ ଓ ଗାଡ଼ି ପାର୍କିଂକୁ ନେଇ ସାମାଜିକ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ର କର୍ମକର୍ତ୍ତାମାନେ ଟ୍ରାଫିକ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଟ୍ରାଫିକ ଥାନାଧିକାରୀ ପ୍ରେମପ୍ରଜ୍ଞା ମହାନ୍ତିଙ୍କୁ ସାକ୍ଷାତ କରି କଚେରୀ ହତା ପ୍ରବେଶ ଦ୍ୱାରରେ ହେଉଥିବା ବେଆଇନ ପାର୍କିଂ ଓ ଷ୍ଟେସନ ଛକରେ ବ୍ୟବସାୟିକ ପ୍ରତିଷ୍ଠାନ କୋଠା ନିର୍ମାଣରେ ସର୍ବସାଧାରଣ ଡ୍ରେନ କବଜା ସମ୍ପର୍କରେ ଅବଗତ କରିଥିଲେ । ବହୁ ବାଧାବିଘ୍ନ ମଧ୍ୟରେ ରେଳ ଷ୍ଟେସନ ରୋଡ଼ର ସମ୍ପ୍ରସାରଣ ହୋଇଥିଲା । ଏମିତିକି ଏବେ ସୁଦ୍ଧା ଏହି ରାସ୍ତାକୁ ନେଇ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି । ତେବେ ପ୍ରଶାସନର ପ୍ରଚେଷ୍ଟାରେ ରାସ୍ତା ସମ୍ପ୍ରସାରଣ ହେବା ଫଳରେ ସର୍ବସାଧାରଣ ଯାତାୟତ ସମ୍ପ୍ରତି ସହଜ ଓ ସୁବିଧା ହୋଇପାରିଛି । ମାତ୍ର ଷ୍ଟେସନ ଛକଠାରେ ନିର୍ମାଣ ହେଉଥିବା ବହୁତଳ ବିଶିଷ୍ଟ ଏକ ବ୍ୟବସାୟିକ କୋଠାର ପ୍ରବେଶ ପାହୁଚ ଡ୍ରେନ ଉପରେ ନିର୍ମାଣ ହୋଇ ରାସ୍ତାକୁ ଲମ୍ବିବା ଫଳରେ ଏଠାରେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ । ଏହା ବ୍ୟତୀତ ଏହି ଡ୍ରେନ କବଜା ଘଟଣାକୁ ଦେଖି ଅନ୍ୟମାନେ ବି ରାସ୍ତା ଉପରକୁ ମାଡ଼ିଆସିବା ଭଳି ପରିସ୍ଥିତି ଉପୁଜିବ ବୋଲି ଫ୍ୟୁଚର ବାଲେଶ୍ୱର କର୍ମକର୍ତ୍ତାମାନେ ଆଶଙ୍କା ପ୍ରକାଶ କରିଛନ୍ତି । ସେହିଭଳି କଚେରୀ ହତାରେ ପାର୍କିଂ ସ୍ଥାନ ନଥିବା ଯୋଗୁଁ ଲୋକେ ନିଜର ଯାନବାହନ ମନଇଚ୍ଛା ଯେଉଁଠି ସେଇଠି ରଖୁଛନ୍ତି । ଫଳରେ କେଚରୀ ପାଶ୍ୱର୍ ମୁଖ୍ୟ ରାସ୍ତାରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ତେବେ କଚେରୀ ହତାର ଏକାଧିକ ପ୍ରବେଶ ପଥ ମଧ୍ୟରୁ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପ୍ରତିଟି ସମୟରେ ଅଭାବନୀୟ ପରିସ୍ଥିତି ପରିଲକ୍ଷିତ ହେଉଛି । ପୂର୍ବରୁ ଲୋକେ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଖାଲିଜାଗାରେ ଯାନବାହନ ରଖୁଥିଲେ । ମାତ୍ର ପାଚେରୀ ତିଆରି ସହ ଗେଟରେ ତାଲା ପଡ଼ିବା ଯୋଗୁଁ ଲୋକେ ଭିତରକୁ ଯାଇ ନପାରି ସବ-ରଜିଷ୍ଟ୍ରାରଙ୍କ ଅଫିସ ସମ୍ମୁଖରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି । ଗାଡ଼ି ପାର୍କିଂ ଓ ଶୌଚାଳୟ ବ୍ୟବସ୍ଥା ପାଇଁ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ପୂର୍ବରୁ ଧାରଣା ଓ ଅନଶନ ଆଦି କରାଯାଇଥିଲା । ସବୁକିଛି ଠିକଠାକ କରିଦେବେ ବୋଳି ସେତେବେଳେ ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେ ବାବଦରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅତଏବେ ଏହି ଦୁଇ ସ୍ଥାନର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସଂଗଠନର କର୍ମକର୍ତ୍ତାମାନେ ଟ୍ରାଫିକ ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ