ରାସ୍ତା ପାରହେବା ବେଳେ ମିନି ବସ ଧକ୍କା, ମହିଳା ମୃତ
ପୋଲସରା (ଅନିଲ ମହାରଣା): ପୋଲସରା ମୁଖ୍ୟ ସଡ଼କରେ ସୋମବାର ହଠାତ୍ ଏକ ଘରୋଇ ବସ୍ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ମହିଳା ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ବଘାଡି ଗ୍ରାମର ସୁଶାନ୍ତି ସାହୁ ବୋଲି ଜଣା ପଡ଼ିଛି। ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ପ୍ରକାରେ ଆସିକାରୁ ପୋଲସରା ଅଭିମୁଖେ ଆସୁଥିବା ଶଙ୍କର ନାମକ ଯାତ୍ରୀବାହି ମିନି ବସ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ସଡ଼କ ପାର ହେଉଥିବା ଶ୍ରୀମତୀ ସାହୁଙ୍କୁ ଧକ୍କା ଦେଇଥିଲା । ମହିଳା ଜଣଙ୍କୁ ଚେତାଶୂନ୍ୟ ଓ ରକ୍ତ ଜୁଡୁବୁଢୁ ଅବସ୍ଥାରେ ସାଙ୍ଗରେ ଆସିଥିବା ଝିଅ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲସରା ମେଡ଼ିକାଲକୁ ନିଆଯାଇଥିଲା । ସୁଶାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ମେଡ଼ିକାଲକୁ ଯିବା ବେଳେ ରାସ୍ତାରେ ହିଁ ମହିଳା ଙ୍କ ମୃତ୍ୟୁ ହୋଇଥିବା ଶୁଣାଯାଇଛି । ନିଜର ଆଧାର କାର୍ଡ଼ ସଂଯୋଗ ନେଇ ପୋଲସରା ଆସିଥିବା ବେଳେ ଏଭଳି ବସ୍ ଦୁର୍ଘଟଣା ଘଟି ମହିଳା ଜଣଙ୍କ ପ୍ରାଣବାୟୁ ଚାଲିଯାଇଥିବା ଜଣାପଡ଼ିଛି।