ରେଳ ସେବାର ଘରୋଇକରଣ ବିରୁଦ୍ଧରେ କଟକରେ ପ୍ରତିବାଦ

କଟକ,(ଦୀପକ୍ କୁମାର ବେଉରା): ରେଳ ସେବାର ଘରୋଇ କରଣ ନିଷ୍ପତ୍ତିକୁ ବିରୋଧ କରି ରେଳ ଘରୋଇକରଣ ବିରୋଧି ଜନ ଅଭିଯାନ ଓଡିଶା, କଟକ ଶାଖା ପକ୍ଷରୁ କଟକ ରେଳବାଇ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରୁ ୮ ଦଫା ଦାବି ସମ୍ମଳିତ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ରେଳବାଇ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ରେଳ ସେବାର ଘରୋଇକରଣ ବନ୍ଦ କରିବା, ରେଳ ପରିବହନକୁ କ୍ଷତି ଦର୍ଶାଇ କର୍ମଚାରୀ ଛଟେଇ ବନ୍ଦ କରିବା, ଠିକା କର୍ମଚାରୀ ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଷ୍ଟେସନ ଗୁଡିକ ଘରୋଇ କମ୍ପାନୀ ମାନଙ୍କୁ ଲିଜ ଦେବା ବନ୍ଦ କରିବା, ଷ୍ଟେସନ ପରିସରରେ ବିକ୍ରି ହୋଉଥିବା ଦ୍ରବ୍ୟ ଗୁଡିକର ଦରବୃଦ୍ଧି ବନ୍ଦ କରିବା, ଯାତ୍ରୀ ଭଡା ତଥା ମାଲ ଭଡା ବୃଦ୍ଧି ନ କରିବା, ବରିଷ୍ଠ ନାଗରିକ, ବିକଳାଙ୍ଗ ତଥା ଛାତ୍ରଛାତ୍ରୀମାନଙ୍କୁ ରିହାତି ପାସ ଯୋଗାଇ ଦେବା, ଷ୍ଟେସନ ପରିସରରେ ଗରିବ ବୁଲା ବିକାଳି, ରିକ୍ସା ଚାଳକ, ଅଟୋ ଚାଳକଙ୍କ ପ୍ରବେଶ ଉପରେ କଟକଣା ବାତିଲ କରିବା, ପ୍ଲାଟଫର୍ମ ଟିକେଟ, ବିଶ୍ରାମ ହଲ ଟିକେଟ, ବାଇକ, କାର, ଅଟୋ ଷ୍ଟାଣ୍ଡ ଭଡା ବଢାଇବା ବନ୍ଦ କରିବା ଇତ୍ୟାଦି ଦାବି କରାଯାଇଛି । ପ୍ରକାଶ ଥାଉକି ଇତି ମଧ୍ୟରେ ୧୦୯ ଟି ରେଳ ରୁଟରେ ୧୫୧ ଟି ଘରୋଇ ଟ୍ରେନ ଚଲାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଘରୋଇ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ଘରୋଇ ମାଲିକମାନେ ନିର୍ଦ୍ଧାରଣ କରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ତୁରନ୍ତ ଏହି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିବାକୁ ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ମଧ୍ୟ ଦାବି କରାଯାଇଛି । କୋଭିଡ ମହାମାରୀରେ ଯେତେବେଳେ ସାରା ଦେଶର ଜନଗଣ ନାହିଁ ନଥିବା ଆସୁବିଧାରେ ସମ୍ମୁଖୀନ ହୋଇଛନ୍ତି ସେତେବେଳେ ସରକାର ଗୋଟାଏ ପରେ ଗୋଟାଏ ଜନମାରଣ ନୀତି ଗ୍ରହଣ କରିବା ସହ ରେଳ ତଥା ଅନ୍ୟାନ୍ୟ ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦେଉଛନ୍ତି । ତୁରନ୍ତ ସରକାର ଏହି ଜନବିରୋଧି ପଦକ୍ଷେପରୁ କ୍ଷ୍ରାନ୍ତ ହେବାକୁ ପ୍ରତିବାଦକାରୀ ମାନେ ଦାବି କରିଛନ୍ତି । ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ରେଳ ଘରେଇକରଣ ଜନ ଅଭିଯାନ ଓଡିଶାର କଟକ ଜିଲ୍ଲା ଆବାହକ ବସନ୍ତ ନାୟକ, ବିଶ୍ୱାବସୁ ଦାସ, ଶ୍ୟାମସୁନ୍ଦର ଦାସ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଅକ୍ଷୟ ରାଉଳ, ରମେଶ ଚନ୍ଦ୍ର ଦଳାଇ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ବାସୁଦେବ ଦାସ, ସେକ ସିରାଜ ଅଲ୍ଲୀ, ସନ୍ତୋଷ ତାହଲ, ବିକାଶ ଦାସ, ଶଶାଙ୍କ ଶେଖର ମହାନ୍ତି, ଦିପକ ଦାସ, ଶୋଭା ଦେହୁରୀ, ପାଭେଲ ପ୍ରିୟଦର୍ଶନ, ସ୍ୱାଧୀନୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ