ରୋଗୀ ଚିକିତ୍ସାରେ ଅଣସ୍ୱାସ୍ଥ୍ୟକର୍ମୀ ସାମିଲ ନହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, (ୱାଇଏନ୍ଏସ୍): ସରକାରୀ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ସମ୍ପୃକ୍ତ ହୋଇପାରିବେ ନାହିଁ ଅଣସ୍ୱାସ୍ଥ୍ୟକର୍ମୀ । ଏନେଇ ସବୁ ହସ୍ପିଟାଲ ମୁଖ୍ୟ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । ଗଂଜାମ ଜିଲ୍ଲାର ଏକ ହସ୍ପିଟାଲରେ ଏସଂପର୍କିତ ଖବର ପ୍ରକାଶ ପାଇବା ପରେ ଏସିଏସ୍ ଚିଠି ଲେଖି ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତିରେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ରକ୍ତଚାପ ମାପୁଥିବାର ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ଡାକ୍ତର ସେଠାରେ ଉପସ୍ଥିତ ଥିଲେ ଏବଂ ସିକ୍ୟୁରିଟି ଗାର୍ଡ ଜଣକ କେବଳ ବିପି ମେସିନ୍ ର କଫ୍ ବାନ୍ଧୁଥିବାର ଜଣାପଡିଥିଲା । ତେବେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ସହ ଅଣସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥାରେ ସାମିଲ ନକରିବା ଲାଗି ଯତ୍ନବାନ୍ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।


