ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନିଷ୍ଠ କିରାଣୀ

ବାଲେଶ୍ବର, (ସରୋଜ ପଣ୍ଡା) : ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ(ବନ୍ଦୋବସ୍ତ) କାର୍ଯ୍ୟାଳୟର କନିଷ୍ଠ କିରାଣି ଲକ୍ଷ୍ମୀନାରାୟଣ ନାଥ(୩୮) ଆଜି ୪ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ତେବେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗୁଜିଦରଡ଼ା ଅଞ୍ଚଳର ସାହାଜାନ୍‌ ଅଲ୍ଲୀ ଖାଁ ନାମକ ଜଣେ ବ୍ୟକ୍ତିଙ୍କ ଏକ ଜମିଜମା ମାମଲାର ସାର୍ଟିଫାଏଡ୍‌ ନକଲ ଦେବା ଲାଗି ଶ୍ରୀ ନାଥ ତାଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିନେଇଥିଲେ। ସୂଚନା ଥାଉକି, ଗୁଜିଦରଡ଼ା ଅଞ୍ଚଳର ସାହାଜାନ୍ ଅଲ୍ଲୀ ଖାଁ ଆଯାକୁ ୭ ମାସ ଧରି ତାଙ୍କର ଏକ ଜମିର ସାର୍ଟିଫାଏଡ୍‌ ନକଲ ନେବା ପାଇଁ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ନକଲ ପାଇବା ନିମନ୍ତେ ଆବେଦନକାରୀ ଶ୍ରୀ ଖାଁ ବହୁବାର ଏହି କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ। ଏପରିକି ବନ୍ଦୋବସ୍ତ କାର୍ଯ୍ୟାଳୟର ଶ୍ରୀ ନାଥ ତାଙ୍କୁ ଆଜିକାଲି କହି ଫେରାଉ ଥିଲେ। ପରେ କିରାଣି ଶ୍ରୀ ନାଥ ଏଥି ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶ୍ରୀ ଖାଁ ୧ ହଜାର ଟଙ୍କା ଲାଞ୍ଚ ଦେବାପରେ ବାଲେଶ୍ୱର ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ପୂର୍ବାହ୍ନରେ ସାହାଜାନ ଅଲ୍ଲୀ ଖାଁ ୪ ହଜାର ଟଙ୍କା ଲାଞ୍ଚ କିରାଣି ଲକ୍ଷ୍ମୀନାରାୟଣ ନାଥଙ୍କୁ ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ ପକ୍ଷରୁ ୩୨/୨୩।ମୂଳେ ମାମଲା ରୁଜୁ କରାଯାଇଛି। ଗିରଫ ଶ୍ରୀ ନାଥ ୨୦୧୨ ମସିହାରେ ବାଲେଶ୍ବର ଅତିରିକ୍ତ ଉପଜିଲ୍ଲାପାଳ (ବନ୍ଦୋବସ୍ତ) କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରାଯିବା ପରେ କାର୍ଯ୍ୟାଳୟ ସମେତ ପୈତୃକ ବାସଭବନ ସିଂଲା ଥାନା ସାହାଡ଼ା ଠାରେ ଏବଂ ଭଡ଼ାରେ ରହୁଥିବା ବାଲେଶ୍ବର ସହରର ମୋତିଗଞ୍ଜ ଠାରେ ଚଢ଼ାଉ କରି କିଛି କାଗଜପତ୍ର ଜବତ କରାଯାଇଛି। ଏଥିସହ ଶ୍ରୀ ନାଥଙ୍କର ବିଭିନ୍ନ ସ୍ଥାନରେ ରହିଥିବା ସ୍ଥାନୀୟ ବ୍ୟବସାୟ ଉପରେ ଭିଜିଲାନ୍ସ ସୁରାଗ ପାଇ ଚଢ଼ଉ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ