ଲୋକଶକ୍ତି ଅନୁଷ୍ଠାନ ପକ୍ଷରୁ ମହିଳା ମହାସଂଘ ଓ ଯୁବସମାଜସେବୀ ସମ୍ମାନୀତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଲୋକଶକ୍ତିର ମୁଖ୍ୟ କାର୍ଯ୍ୟାଳୟ ଶେରଗଡ ଠାରେ ସ୍ୱେଚ୍ଛାସେବୀ ସଂସ୍ଥା ଲୋକଶକ୍ତି, ଶ୍ରୀ କ୍ରୀଷ୍ଣା ଇଣ୍ଟରନେସନାଲ ସ୍କୁଲ, ଲୋକଶକ୍ତି ଆଇ.ଟି.ଆଇର ବାର୍ଷିକ ଉତ୍ସବ ଏବଂ ବିଶିଷ୍ଟ ସମାଜସେବୀକା, ଲୋକଶକ୍ତିର ପ୍ରତିଷ୍ଠାତ୍ରୀ, ମହିଳା ସଶକ୍ତିକରଣର କର୍ଣ୍ଣଧାର ସ୍ୱର୍ଗିୟା ରାଗିଣୀ ଦେବୀଙ୍କ ୭୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାଲେଶ୍ୱରର ବିଶିଷ୍ଟ ସମାଜସେବୀକା ଜ୍ୟୋତିର୍ମୟୀ ପଟ୍ଟନାୟକ ଏବଂ ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତର ବାବା ଧବଳେଶ୍ୱର ମହିଳା ମହାସଂଘର ଉତ୍କର୍ଷ ସାମାଜିକ, ଆର୍ଥିକ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, ମହିଳା ହିଂସା ହ୍ରାସ, ମଦ ବିରୋଧୀ ଅଭିଯାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଗିଣୀ ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ବନ୍ତ ବ୍ଲକର ଯୁବ ସମାଜସେବୀ, ସୁବକ୍ତା, ଦକ୍ଷ ସଂଗଠକ ସତ୍ୟ ସାଧନ ବେଜଙ୍କୁ ଲୋକଶକ୍ତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ସ୍ୱର୍ଗିୟା ରାଗିଣୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବାଲେଶ୍ୱର ରାଗିଣୀ ଦେବୀ ସ୍ମୃତି କମିଟି ସଭାପତି ବିପ୍ଳବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ବକ୍ତା ସମାଜ ବାଲେଶ୍ୱର ନ୍ୟୁଜ୍ ମୁଖ୍ୟ କୂଳମଣି ବାରିକ, ସମ୍ମାନୀତ ଅତିଥି ବିଶିଷ୍ଟ ସଂଗୀତଜ୍ଞ ଅମୃତାଂଶୁ ପଟ୍ଟନାୟକ, ଏ.ସି.ଏମ ମୁଖ୍ୟ ଆଦିତ୍ୟ ପଟ୍ଟନାୟକ, ଯୁବ ସମାଜସେବୀ ସତ୍ୟ ସାଧନ ବେଜ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋକଶକ୍ତିର ସମ୍ପାଦକ ଜୟନ୍ତ କୁମାର ବାଗ ବାର୍ଷିକ ବିବରଣୀ ପାଠ, ଲୋକଶକ୍ତିର ସଭାପତି ରବିନ୍ଦ୍ର ରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଶ୍ରୀ କ୍ରୀଷ୍ଣା ସ୍କୁଲର ଅଧ୍ୟକ୍ଷ ଜ୍ୟୋତିର୍ମୟୀ ବାରିକ, ଲୋକଶକ୍ତି ଆଇ.ଟି.ଆଇର ଅଧ୍ୟକ୍ଷ ଧର୍ମେନ୍ଦ୍ର ଦାସ ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ ଓ ପର୍ଶୁରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।