ଶିଶୁବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ବିଜ୍ଞାନଗାର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜାତୀୟ ବିଜ୍ଞାନ ଦିବସ ଅବସରରେ କେନ୍ଦ୍ର ସରକାର ପ୍ରଦତ୍ତ ଅଟଳ ଟିଙ୍କରିଂ ବିଜ୍ଞାନଗାର ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଉଦଘାଟିତ ହୋଇଯାଇଛି । ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ‘ଏକୀକୃତ ପରୀକ୍ଷଣ କେନ୍ଦ୍ର’ (ଆଇଟିଆର)ର ବୈଜ୍ଞାନିକ ଡ. ନୀଳାଦ୍ରି ବିହାରୀ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବିଜ୍ଞାନଗାରକୁ ଉଦଘାଟନ କରିଥିଲେ । ଗୁଣାତ୍ମକ ବିଜ୍ଞାନ ଶିକ୍ଷା ପାଇଁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଟଳ ଟିଙ୍କରିଂ ବିଜ୍ଞାନଗାର ପ୍ରତିଷ୍ଠା କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ । ଓଡ଼ିଶା ଶିକ୍ଷା ବିକାଶ ସମିତି ପୂର୍ବକ୍ଷେତ୍ର ଅଧ୍ୟକ୍ଷ ଡ. ଲକ୍ଷ୍ମୀକାନ୍ତ ମହାରଣା ଓ ବିଦ୍ୟାଭାରତୀର ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନଗାରର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ଯୋଗେନ ଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭବେନ୍ଦ୍ର କୁମାର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ନୂତନ ବିଜ୍ଞାନଗାର ପ୍ରତିଷ୍ଠାର ଆଭିମୁଖ୍ୟ ଓ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ୧୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ