ଶ୍ରମିକ ଛଟେଇ ବନ୍ଦ ଦାବିରେ ଓଡ଼ିଶା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ବୃଦ୍ଧି, ମହାଙ୍ଗା ଭତ୍ତା ପ୍ରଦାନ ଏବଂ ଶ୍ରମିକ ଛଟେଇ ବନ୍ଦ ପ୍ରଦିବାଦରେ ଓଡ଼ିଶା ପେଟ୍ରୋଲ ଓ ଡ଼ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ଚନ୍ଦ୍ରଶେଖରପୁରସ୍ଥିତ ଭାରତୀୟ ତୈଳ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ତୈଳପମ୍ପର ଶ୍ରମିକ, ଶ୍ରମ କରି ଗରାଖମାନଙ୍କ ଠାରୁ ଦାୟିତ୍ୱର ସହ ତୈଳ ଦେଇ ଅର୍ଥ ସଂଗ୍ରହ କରନ୍ତି । ଯେଉଁ ଅର୍ଥରେ କମ୍ପାନୀ, ସରକାର ଏବଂ ଡ଼ିଲରମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଆନ୍ତି । କିନ୍ତୁ ଗରିବ ତୈଳ ପମ୍ପ ର୍କମଚାରୀଟି ତାର ସ୍ୱଳ୍ପ ଦରମାରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ପାରେନାହିଁ । ଆଜିର ଆକାଶଛୁଆଁ ଦରବୃଦ୍ଧିରେ ସେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିପାରେ ନାହିଁ । ସହରରେ ରହି ଘରଭଡ଼ା ମଧ୍ୟ ଦେଇପାରେ ନାହିଁ, ପିଲାଙ୍କୁ ଠିକ୍ ଭାବେ ପାଠ ପଢାଇପାରେ ନାହିଁ । ଯାହାଫଳରେ ଦୈନନ୍ଦିନ ଜୀବନରେ କର୍ମଚାରୀଟି ଦୁଃଖକଷ୍ଟ ସତ୍ତ୍ୱେ ତୈଳପମ୍ପରେ କାର୍ଯ୍ୟ କରେ । ତେଣୁ ମହଙ୍ଗା ଭତ୍ତା ଏବଂ ସର୍ବନିମ୍ନ ୨୧୦୦ ଟଙ୍କା ଦରମା ବୃଦ୍ଧି ସହିତ ଇନ୍‌ସେନଟିଭ ପ୍ରଦାନ କରାଯାଉ । ଶ୍ରମିକମାନଙ୍କର ସୁରକ୍ଷା ଓ ସିଟି ଆଲାଉନ୍ସ ଏବଂ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାକୁ ଦାବି କରାଯାଇଛି । ଭାରତୀୟ ତୈଳ ନିଗମ ଓଡ଼ିଶାରେ ଅନ୍ୟ ତୈଳ ନିଗମମାନଙ୍କର କୋର୍ଡ଼ିନେଟର ଅଟେ । ତେଣୁ ଭାରତୀୟ ତୈଳ ନିଗମ ଉପରୋକ୍ତ ଦାବିକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଭାପତି ଶ୍ରୀ ରାଉତରାୟ ଆହ୍ୱାନ କରିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଧାରଣ ସମ୍ପାଦକ ପବିତ୍ର କୁମାର ଛାଟୋଇ, ଉପସଭାପତି ଶଙ୍କର ମାଝୀ, କୋଷାଧ୍ୟକ୍ଷ ଆର୍ତ୍ତବନ୍ଧୁ ସ୍ୱାଇଁ, ଜିତେନ୍ଦ୍ର ପଣ୍ଡା, ବାସୁଦେବ ସାହୁ, ପବିତ୍ର ସାମନ୍ତରାୟ, ସିଟୁର ସାଥୀ ପ୍ରଭାତ ପାଣିଗ୍ରାହୀ, ନୀଳକଣ୍ଠ ରଣା, ନବକିଶୋର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଉକ୍ତ ବିକ୍ଷୋଭରେ ଶତାଧିକ ପମ୍ପ ଶ୍ରମିକମାନେ ଯୋଗ ଦେଇଥିଲେ । ଶେଷରେ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ସଭାପତି ଶ୍ରୀ ରାଉତରାୟଙ୍କ ନେତ୍ୱରେ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ତୈଳ କମ୍ପାନୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ