ଶ୍ରମିକ ଧର୍ମଘଟକୁ ଫରୱାର୍ଡ଼ ବ୍ଲକର ସମର୍ଥନ ଘୋଷଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଘରୋଇକରଣ, ଶ୍ରମ ଆଇନରେ ସଂଶୋଧନ ଆଦି ପ୍ରତିବାଦରେ ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି ସମେତ ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଆସନ୍ତା ମାର୍ଚ୍ଚ ୨୮ ଓ ୨୯ ଦୁଇଦିନ ଧରି ଦେଶର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସର୍ବଭାରତୀୟ ଧର୍ମଘଟର ଡ଼ାକରା ଦେଇଛନ୍ତି । ଏହି ଧର୍ମଘଟକୁ ଅନ୍ୟାନ୍ୟ ସ୍ୱାଧୀନ ଫେଡ଼େରେସନ ଏବଂ ବ୍ୟାଙ୍କ ଓ ବୀମା କର୍ମଚାରୀ ସଂଗଠନଗୁଡ଼ିକ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି । ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥରେ ସଂଗଠିତ ହେଉଥିବା ଏହି ସର୍ବଭାରତୀୟ ଧର୍ମଘଟକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଦେଶର ଶ୍ରମଜୀବୀ ମିଣିଷ, କୃଷକ, ଛାତ୍ର, ଯୁବକ ତଥା ସାଧାରଣ ମଣିଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗଠିତ ହେଉଥିବା ଏହି ସର୍ବଭାରତୀୟ ଧର୍ମଘଟରେ ଫରୱାର୍ଡ଼ ବ୍ଲକ ଏବଂ ଏହାର ଛାମୁଆ ସଂଗଠନମାନେ ସକ୍ରିୟ ଭାବରେ ସାମିଲ୍ ହୋଇ ଏହାକୁ ସଫଳ କରିବା ପାଇଁ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆହ୍ୱାନ କରିଛନ୍ତି । ସାଧାରଣ ମଣିଷର ସ୍ୱାର୍ଥ ରକ୍ଷା ପାଇଁ ଏହି ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ, ଏଥିରେ ସାମିଲ ହେବା ପାଇଁ ଓଡ଼ିଶାର ଜନଗଣଙ୍କୁ ମଧ୍ୟ ଶ୍ରୀ ମହାପାତ୍ର ଆହ୍ୱାନ କରିଛନ୍ତି ।


