ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରରେ ବିଜୟାଦଶମୀ ଅବସରରେ ଶ୍ରୀ ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶିରିଡ଼ି ସାଇବାବା ଜଣେ ମହାନ ସନ୍ଥ ତଥା ଶ୍ରୀ ଦତ୍ତାତ୍ରେୟଙ୍କ ଦୟା ଓ କରୁଣାର ଅବତାର। ୧୯୧୮ ମସିହା ଅକ୍ଟୋବର ମାସ ୧୫ ତାରିଖ, ପବିତ୍ର ଦଶହରା, ରମଜାନ୍ର ନବମୀ ଦିନ ତଥା ପାପାଙ୍କୁଶ ଏକାଦଶୀ ଆଗମନର ଶୁଭ ମୁହୂର୍ତ୍ତରେ ଧାରଣ କରିଥିବା ମନୁଷ୍ୟ ଶରୀରକୁ ପରିତ୍ୟାଗ କରି ପରମାତ୍ମାଙ୍କ ଠାରେ ଲୀନ ହୋଇଥିଲେ। ବାବାଙ୍କ ଦେହତ୍ୟାଗ ଦିନଟିକୁ ସ୍ମରଣୀୟ ରଖିବା ପାଇଁ ସାରା ପୃଥିବୀରେ ଥିବା ବାବାଙ୍କ ସମସ୍ତ ମନ୍ଦିରରେ ଦଶହରା ବା ବିଜୟାଦଶମୀ ଦିନକୁ ମହାସମାଧି ଦିବସ ରୂପେ(ଶ୍ରୀସାଇବାବା ପୁଣ୍ୟତିଥିଉତ୍ସବ)ପାଳନ କରାଯାଏ। ଚଳିତ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ଦିନ ଗୋଲ୍ଡେନ୍ ଭିଲ୍ଲା କଜଳା ସ୍ଥିତ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସାଇବାବାଙ୍କ ୧୦୮ତମ ପୁଣ୍ୟତିଥି ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ଶ୍ରୀ ସାଇଙ୍କ ୧୦୦୮ ନାମମନ୍ତ୍ରରେ ମହାଯଜ୍ଞ, ବାବାଙ୍କ ପାଦୁକା ପୂଜା, ସୀମା ଲଙ୍ଘନ ଉତ୍ସବ ତଥା ସାଇ ପାଲିଙ୍କି ଯାତ୍ରା ମହାସମାରୋହରେ ପାଳିତ ହୋଇ କେନ୍ଦ୍ରାପଡ଼ା ସହର ପରିକ୍ରମା କରିଥିଲା। ଏହି ପାଲିଙ୍କି ଯାତ୍ରା ସାରା ଦୁନିଆକୁ ଗୋଟିଏ ସୁନ୍ଦର ସନ୍ଦେଶ ତଥା ବାର୍ତ୍ତା ଦେଇଥିଲା, ଯାହା ହେଉଛି ସମସ୍ତଙ୍କର ଭଗବାନ ଏକ। ହିନ୍ଦୁ ହେଉ ଅବା ମୁସଲମାନ,ଶିଖ୍ ହେଉ ଅବା ଖ୍ରୀଷ୍ଟିଆନ୍, ଯିଏ ଯାହାଙ୍କୁ ପୂଜା କରନ୍ତୁ ବା ଆରାଧନା କରନ୍ତୁ, ସମସ୍ତଙ୍କର ପ୍ରାର୍ଥନା ଜଣଙ୍କ ପାଖରେ ହିଁ ପହଞ୍ଚିଥାଏ।ସେ ହେଉଛନ୍ତି ପରମେଶ୍ୱର, ପରଂବ୍ରହ୍ମ, ଯିଏକି ସର୍ବଜ୍ଞ, ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ। ସାରା ସଂସାରର ଗୋଟିଏ ଧର୍ମ ରହୁ, ତାହା ହେଉଛି ମାନବ ଧର୍ମ। ଦଶହରା ହେଉଛି ଅଧର୍ମ ଉପରେ ଧର୍ମର ବିଜୟ। ଯେହେତୁ ଏହି ଦଶହରା ଦିନ ହିଁ ବାବା ମହାସମାଧି ନେଇଥିଲେ। ସେଥିପାଇଁ ବାବାଙ୍କ ସ୍ମୃତିରେ ଏହି ପାଲିଙ୍କି ଯାତ୍ରାଟି ଅନୁଷ୍ଠିତ ହୋଇଥିଲା। ବାବା କୌଣସି ନିର୍ଦ୍ଦିଷ୍ଟ ଧର୍ମର ନ ଥିଲେ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ମଧ୍ୟ ସମର୍ଥନ କରୁନଥିଲେ। ସେ କେବଳ ମାନବ ଧର୍ମକୁ ସମର୍ଥନ କରୁଥିଲେ।


