ଚଳିତ ବର୍ଷ ୬ଶହ ଗ୍ରାମର ସୁନା ମୁକୁଟ ପିନ୍ଧିବେ ମା’ଲକ୍ଷ୍ମୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର। ଆଉ ଦୁଇ ଦିନ ପରେ ଆଲୋକମାଳା, ଭବ୍ୟ ତୋରଣ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସହରର କୋଣ ଅନୁକୋଣ ଉତ୍ସବମୁଖର ହୋଇଉଠିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ସହରର ମଢିଆଳ ବଜାରସ୍ଥିତ ଐତିହ୍ୟସମ୍ପନ୍ନ ଗଙ୍ଗା ଭଗୀରଥ ପୂଜା କମିଟି ଚଳିତ ବର୍ଷ ନିଜର ଗୌରବମୟ ୮୫ ବର୍ଷରେ ପଦାର୍ପଣ କରିଛି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିରଖିବା ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ଓ ଆକର୍ଷଣୀୟ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ଗଙ୍ଗା ଭଗୀରଥ ପୂଜା କମିଟିର ମୁଖ୍ୟ ଆକର୍ଷଣ ପାଲଟିବ ମା’ ଗଜଲକ୍ଷ୍ମୀଙ୍କ ସ୍ୱର୍ଣ୍ଣ ମୁକୁଟ। ୮୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମା’ଙ୍କ ମସ୍ତକରେ ୬୦୦ ଗ୍ରାମ ଓଜନର ଏକ ଭବ୍ୟ ତଥା କାରୁକାର୍ଯ୍ୟପୂର୍ଣ୍ଣ ସୁନା ମୁକୁଟ ଶୋଭା ପାଇବ। ଏ ନେଇ କାରିଗରଙ୍କ ଦ୍ୱାରା ମୁକୁଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏଥିସହିତ ମା’ଙ୍କ ଭବ୍ୟ ମେଢ, କଣ୍ଠହାର ଏବଂ ଅଣ୍ଟା ବିଛା ପାଇଁ ପ୍ରାୟ ୧ କ୍ୱିଣ୍ଟାଲ ୪୦ କିଲୋଗ୍ରାମର ଚାନ୍ଦି ବ୍ୟବହାର କରାଯାଇ ନୂତନ ଡିଜାଇନର ମେଢ ନିର୍ମାଣ କରାଯାଇଛି। ପୂର୍ବରୁ ୨୦୧୮ ମସିହାରେ କମିଟି ପକ୍ଷରୁ ପ୍ରଥମ ଥର ପାଇଁ ୧ କ୍ୱିଣ୍ଟାଲ ୨୦ କେଜି ରୂପାରେ ଚାନ୍ଦି ମେଢ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ ଏଥିରେ ଅତିରିକ୍ତ ରୂପା ସଂଯୋଗ କରାଯାଇ ଏହାକୁ ଆହୁରି ମନୋରମ ଓ ଭବ୍ୟ ରୂପ ଦିଆଯାଇଛି। ମଢିଆଳ ବଜାରରେ ଏହି ପୂଜାର ଆରମ୍ଭ ବହୁ ପୁରୁଣା। ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୪୧ ମସିହାରେ କେତେକ ଧର୍ମପରାୟଣ ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ଏହି ପୂଜା ପ୍ରଥମେ ଆରମ୍ଭ କରାଯାଇଥିଲା। ସ୍ୱର୍ଗତ ସାଧୁ ଚରଣ ସାହୁ, ନନ୍ଦ ଦେଳଇ, ପଞ୍ଚୁ ଦଳେଇ, ଧୋଇ ବେହେରା, ବାବାଜି ବେହେରା ଏବଂ ଶୁକଦେବ ମଣ୍ଡଳ ପ୍ରମୁଖ ଏକତ୍ରିତ ହୋଇ ଏହି ପୂଜାର ଶୁଭାରମ୍ଭ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଆଠ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଏବଂ ଶ୍ରଦ୍ଧାର ସହ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ପୂର୍ଣ୍ଣ ସହଯୋଗରେ ଆଜି ଏହି କମିଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ପୂଜା ଉପଲକ୍ଷେ ଚଳିତ ବର୍ଷ ଅକ୍ଟୋବର ୨୯, ୩୦ ଓ ୩୧ ତାରିଖ ତିନି ଦିନ ଧରି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୁମ୍ବାଇରୁ ପ୍ରସିଦ୍ଧ ହାସ୍ୟ ଅଭିନେତା (ଷ୍ଟାଣ୍ଡଅପ୍ କମେଡିଆନ୍) ସୁନିଲ ପାଲ୍ କେନ୍ଦ୍ରାପଡ଼ା ଆସୁଛନ୍ତି। ସେ ନିଜର ଅନନ୍ୟ ହାସ୍ୟରସ ଓ କଳା ମାଧ୍ୟମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବେ। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ସୁନାମଧନ୍ୟ ଶିକାକୁଲମ ବ୍ୟାଣ୍ଡ ପାର୍ଟି ନିଜର ସଙ୍ଗୀତ ଝଙ୍କାରରେ ପୂଜା ପରିବେଶକୁ ଅଧିକ ଜୀବନ୍ତ ଓ ଆନନ୍ଦଦାୟକ କରିବେ। ପୂଜା ପ୍ରସ୍ତୁତି, ଶାନ୍ତିଶୃଙ୍ଖଳା ଏବଂ ଦର୍ଶକଙ୍କ ସୁବିଧା ସମ୍ପର୍କରେ କମିଟିର ସଭାପତି ସୁବାସ କୁମାର ଚାନ୍ଦ, ସମ୍ପାଦକ ନିଗମାନନ୍ଦ ସାହୁ ଏବଂ ଉପଦେଷ୍ଟା ଗନ୍ଧର୍ବ ଚରଣ ବେହେରା ସୂଚନା ଦେଇ କହିଛନ୍ତି ଯେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି। ୮୫ତମ ବର୍ଷର ଏହି ଭବ୍ୟ ମହୋତ୍ସବରେ ସାମିଲ ହେବା ପାଇଁ କମିଟି ପକ୍ଷରୁ ସମସ୍ତ ଭକ୍ତ ଓ ସହରବାସୀଙ୍କୁ ଆମନ୍ତ୍ରଣ କରାଯାଇଛି।


