ଧର୍ମ ପରାୟଣ ଶିକ୍ଷକଙ୍କ ପରଲୋକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଏସ.ସୀମା ରେଡ୍ଡୀ ଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଛି।ସେ ଜଣେ ଧର୍ମପରାୟଣ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଓଡ଼ାସିଙ୍ଗିି ଗ୍ରାମ ସ୍ଥିତ ମହନ୍ତ ଗୋବର୍ଦ୍ଧନ ଦାସ ଗୋସ୍ୱାମୀ ଉଚ୍ଚ ବିଦ୍ୟାପୀଠ ରେ ସେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଠାକୁର ଅନୁକୂଳଚନ୍ଦ୍ର ଙ୍କ ସତ୍ ନାମ ଦୀକ୍ଷା ଗ୍ରହଣ କରି ଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କରି ନୀତି ଆଦର୍ଶ ରେ ସେ ପରିଚାଳିତ ଥିଲେ।ସେ ଆସିକା ନିକଟ ତାଙ୍କ ଶ୍ବଶୁର ଘର ଆର. ଦାମୋଦର ପଲ୍ଲୀ କୁ ବୁଲି ଯାଇଥିଲେ।ଶନିବାର ସକାଳେ ସେ ସେଠାରେ ଆକସ୍ମିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆସିକା ସବ ଡିଭିଜିନାଲ୍ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ ଘାତ ରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକ ର ଛାୟା ଖେଳିଯାଇଥିଲା। ମର ଶରୀର ଗାଁ ରେ ପହଞ୍ଚିବା ପରେ ବହୁ ସଂଖ୍ୟକ ଛାତ୍ରୀ ଛାତ୍ର,ଅନୁକୂଳ ଚନ୍ଦ୍ର ଭକ୍ତ ବୃନ୍ଦ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।ଉପସ୍ଥିତ ଥିବା ତାଙ୍କ ଏକ ମାତ୍ର କନ୍ୟା ଓ ପରିବାର ସଦସ୍ୟ ମାନଙ୍କୁ ସମବେଦନା ଜଣାଇଥିଲେ। ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।


