ଷ୍ଟେଟ ବ୍ୟାଙ୍କରେ ଗ୍ରାହକ ସେବା ବିପର୍ଯ୍ୟସ୍ତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ମଞ୍ଜୁରୀରୋଡ ଠାରୁ ଆରମ୍ଭ କରି ଆଖୁଆପଦା, ସରସଦା ଓ ବାରିକପୁର ଯାଏଁ ଥିବା ଜାତୀୟ କରଣ ବ୍ୟାଙ୍କ ଗୁଡିକ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ବାଣିଜ୍ୟିକ କାରବାର ଓ ବ୍ୟାଙ୍କ ଖାତାଧାରୀଙ୍କ ସଂଖ୍ୟାକୁ ହିସାବ କଲେ ସରସଦା ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଥିରେ ସର୍ବାଗ୍ରେ ଥିବା ଜଣାପଡିଛି । ପରିତାପର ବିଷୟ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଉପଯୁକ୍ତ ସେବା ମିଳୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ବ୍ଲକର ଏକମାତ୍ର ଷ୍ଟେଟ ବ୍ୟାଙ୍କ ହୋଇଥିବାରୁ ଏଠାକୁ ୨୩ଗୋଟି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଆସିଥାଆନ୍ତି । ଅର୍ଥନେଣଦେଣ ବାବଦୀୟ କାର୍ଯ୍ୟକୁ ଛାଡିବା ପରେ ଅନେକ ସରକାରୀ କାର୍ଯ୍ୟ ମଧ୍ୟ ଷ୍ଟେଟ ବ୍ୟାଙ୍କ ଜରିଆରେ ହୋଇଥାଏ । ବିଶେଷକରି ସରକାର ବର୍ତ୍ତମାନ ଗ୍ରାମାଞ୍ଚଳ ଆର୍ଥିକ ମାନଦଣ୍ଡକୁ ଉନ୍ନତି କରିବା ପାଇଁ ଜାତୀୟକରଣ ବ୍ୟାଙ୍କ ଜରିଆରେ ଲୋକମାନଙ୍କୁ ରିହାତି ଋଣ ଯୋଗାଉଛନ୍ତି । ଏଥିରେ ଅଧିକରୁ ଅଧିକ ଗ୍ରାମାଞ୍ଚଳ ମହିଳା ଏସଏଚଜି ଗ୍ରୁପ ଯେଭଳି ଭାବେ ଯୋଡିହେବେ ତାଉପରେ ଗୁରୁତ୍ୱ ଦିଆଯାଉଛି । ଏସବୁକୁ ଲକ୍ଷ୍ୟ କଲେ ଜାତୀୟ କରଣ ସଂସ୍ଥା ହିସାବରେ ଷ୍ଟେଟ ବ୍ୟାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ସରସଦା ଶାଖାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଲୋକମାନେ ସକାଳୁ ଆସି ଦିନ ୫ଟାଯାଏଁ ବ୍ୟାଙ୍କ ଆଗରେ ଧାଡି ଲଗାଉଥିଲେ ସୁଦ୍ଧା ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । କର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଅର୍ଥନେଣଦେଣ ଓ ଅନ୍ୟାନ୍ୟ କାର୍ଯ୍ୟ ସଠିକ ସମୟରେ ହୋଇପାରୁନାହିଁ । ଯେଉଁଥିପାଇଁ ସାଧାରଣ ଲୋକଟିଏ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛି । ବ୍ୟବସାୟୀକ ବାଗଚତୁରୀ ଜରିଆରେ କର୍ମଚାରୀମାନେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ଓଲଟା କଥାକଥାକେ ରାଗିଯାଉଛନ୍ତି । ତେଣୁ ବ୍ୟାଙ୍କ ଉଚ୍ଚକତ୍ତୃପକ୍ଷ ଏହା ଉପରେ ଦୃଷ୍ଟିଦେଇ କିଛି କର୍ମଚାରୀଙ୍କୁ ଏଠାରୁ ବଦଳି କରିଦେଲେ ଗ୍ରାହକମାନେ ଉପଯୁକ୍ତ ସେବା ପାଇପାରନ୍ତେ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ