ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୪ତମ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳିତ ହୋଇଯାଇଛି ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୪ତମ ଜନ୍ମୋତ୍ସବ । । ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧି ଆହିଂସା ଐତିହ୍ୟ ନ୍ୟାସର ପ୍ରଥମ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ପରିବେଶବିତ୍, ସଂସ୍କୃତି ରକ୍ଷକ, ପ୍ରକୃତିବନ୍ଧୁ ବାବା ବଳିଆ କହିଲେ ଯେ, ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଜଣେ ଭଲ ମଣିଷ ଥିଲେ । ଆଜିର ସମାଜ ଯେତେବେଳେ ଭଲ ମଣିଷ ଖୋଜୁଛି ସେତିକିବେଳେ ଆମେ ଦୋଳ ବାବୁଙ୍କ ଭଳି ମଣିଷଙ୍କୁ ଖୋଜୁଛେ । ସ୍ୱାଧୀନତା ପରେ ସମଗ୍ର ଜୀବନକୁ ସେ ଦେଶ ତଥା ଜାତି ପାଇଁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ଲିଖିତ ଗାନ୍ଧୀ କଥା ପୁସ୍ତକ ତାଙ୍କୁ ସବୁଦିନ ପାଇଁ ବଞ୍ଚାଇ ରଖିବ । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ମହାତ୍ମା ଗାନ୍ଧୀ ନ୍ୟାସ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ପ୍ରଥମ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରି ଆମ ସମସ୍ତଙ୍କର ଧନ୍ୟବାଦର ପାତ୍ର ହୋଇଛନ୍ତି । ରାଜନୀତିରେ ସତ କହିବା ଲୋକଙ୍କ ସଂଖ୍ୟା ବହୁତ କମ୍ କିନ୍ତୁ ସ୍ୱର୍ଗତ ପ୍ରଧାନ ଥିଲେ ନୀତି, ନୈତିକତା, ସତ୍ୟ ଓ ଅହିଂସାର ମୂର୍ତ୍ତୀମନ୍ତ ପ୍ରତୀକ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ଶ୍ରୀ ରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜ, ପାତଞ୍ଜଳି ଯୋଗପୀଠ ଓଡ଼ିଶାର ମୁଖ୍ୟ ସୁଧାଂଶୁ ଅଧିକାରୀ ଓ ହରିଦ୍ୱାର ପାତଞ୍ଜଳି ଆଶ୍ରମର ସନ୍ନ୍ୟାସୀ ସ୍ୱାମୀ ଓମ୍ଦେବ ପ୍ରମୁଖ ରାଜନୀତିରେ ରହି ମଧ୍ୟ ସ୍ୱର୍ଗତ ପ୍ରଧାନ ଥିଲେ ଜଣେ ରାଜଯୋଗୀ ବୋଲି କହିଥିଲେ । ଟ୍ରଷ୍ଟି ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ମ୍ୟାନେଜିଂ ଟ୍ରଷ୍ଟି ଡଃ ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ମନୋଜ ଜେନା ଓ ସୀତା ବଲ୍ଲଭ ମହାପାତ୍ରଙ୍କ ସଂଯୋଜନାରେ ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ବିଭାଗର ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ଟ୍ରଷ୍ଟି ଦେବଜାନୀ ରାଉତରାୟ ଓ ଟ୍ରଷ୍ଟି ସୁଶାନ୍ତ କୁମାର ପଣ୍ଡା ଓ ନୀରଦ ଖଉଣ୍ଟିଆଙ୍କ ସଂଯୋଜନାରେ ପାତଞ୍ଜଳି ଯୋଗପୀଠର ସଦସ୍ୟ ସଦସ୍ୟାମାନେ ବୃକ୍ଷରୋପଣ କରିଥିଲେ । ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି ପକ୍ଷରୁ ସ୍ମୃତି•ରଣ ସଭାକୁ ସଂଯୋଜନା କରିଥିଲେ ଆଡ଼ଭୋକେଟ ମିତ୍ରଭାନୁ ମହାପାତ୍ର । ଏହି ସଭାରେ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ନ୍ୟାସର ଉପସଭାପତି ଦେବରାଜ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଜ୍ଞାନରାଜ ପ୍ରଧାନ, ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଓ ପାତଞ୍ଜଳି ଯୋଗପୀଠର ବରିଷ୍ଠ କାର୍ଯ୍ୟକର୍ତ୍ତା ପୃଥିରାଜ ପ୍ରଧାନ ଓ ସମସ୍ତ ଦୋଳଗୋବିନ୍ଦ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ।


