ସଡକ ସୁରକ୍ଷା ସପ୍ତାହ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସଡକ ସୁରକ୍ଷା ସଚେତନତା ଓ ଦୂର୍ଘଟଣା ହାର ହ୍ରାସ ସକାଶେ ରାଜ୍ୟ ସରକାର ପ୍ରତିବର୍ଷ ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ସଡକ ସୁରକ୍ଷା ସପ୍ତାହ ଭାବେ ପାଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ହିଞ୍ଜିଳି ପୁଲିସର ମିଳିତ ଆନୁକୂଲ୍ୟରେ ଶନିବାର ହିଞ୍ଜିଳିକାଟୁ ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଟ୍ରାଫିକ ନିରୀକ୍ଷକ ନଳିନୀକାନ୍ତ ଚିନାରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀ, ଛତ୍ରପୁର ମାନସ ରଞ୍ଜନ ସାହୁ, ମୋଟର ପରିବହନ ଅଧିକାରୀ ରବିନ୍ଦ୍ରନାଥ ଜେନା, ସହକାରୀ ଏମଭିଆଇ ରତିକାନ୍ତ ନାହାକ, ହିଞ୍ଜିଳି ଥାନା ଏସ.ଆଇ. ସିଦ୍ଧାର୍ଥ ଜେନା, ଏ.ଏସ.ଆଇ. କାଳିଚରଣ ସ୍ୱାଇଁ, ମନୋଜ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗାୟତ୍ରୀ କମ୍ପ୍ୟୁଟର କଲେଜର ଶିକ୍ଷାର୍ଥୀ ମାନେ ସଡକ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ପ୍ଳା-କାର୍ଡ ଧରି ଓ ସ୍ଳୋଗାନ ନେଇ ନଗର ପରିକ୍ରମା କରିଥିଲେ । ପରେ ବସ ଟର୍ମିନାଲ ପରିସରରେ ପଥପ୍ରାନ୍ତ ନାଟକ ପରିବେଷଣ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥି ମାନେ ଗାଡି ଚାଳନା ସମୟରେ ମୋବାଇଲ ଫୋନ୍ ବ୍ୟବହାର , ଦୃତ ଗତିରେ ଗାଡି ଚାଳନା ନକରିବାକୁ ପରାମର୍ଶ ଦେବା ସହ ବାଇକ୍ ଚାଳନା ସମୟରେ ହେଲମେଟ ବ୍ୟବହାର ଓ ଯାନବାହାନ ଚାଳନା ସମୟରେ ସିଲ୍ଟ ବେଲ୍ଟ ବ୍ୟବହାର କରିବା ପାଇଁ ଚାଳକ ମାନଙ୍କୁ ଅନୁରୋଧ କରିବା ସହ ସଡକ ସୁରକ୍ଷା ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଭାମ୍ୟମ୍ରାଣ ଗାଡିରେ ଏଲଇଡି ସ୍କ୍ରିନ୍ ସହାୟତାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ଭିଡିଓ ପଦର୍ଶିତ କରାଯାଇଥିଲା । ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ୫୩ ଜଣ ଗାଡି ଚାଳକଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ କିଛି ଚାଳକଙ୍କୁ ମାଗଣା ଚଷମା ବିତରଣ କରାଯାଇଥିଲା । ଉଦ୍ଧବ ସେଠି, ମହମ୍ମଦ ଅନିଶ, କମଳେଶ ଦାଶ, ହୃଷିକେଶ ମହାପାତ୍ର, ଶଙ୍କର ସ।।ବତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହିଞ୍ଜିଳିକାଟୁ ମା’ବ୍ୟାଘ୍ରଦେବୀ ଘରୋଇ ମାଲିକ ସଂଘର କର୍ମକର୍ତ୍ତା ଓ ମାଲିକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।