ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ବାଲେଶ୍ୱର,: ସ୍ଥାନୀୟ ସଦଭାବନା ସଭାଗୃହଠାରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ତରଫରୁ କି ଧରଣର ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ରହିଥିବା ୧୪୦ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳଗୁଡିକୁ ଏଥି ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ବ୍ଲକରେ ମହଜୁଦ୍ ରହିଥିବା ପଲିଥିନ ଷ୍ଟକ୍ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବାତ୍ୟା/ବନ୍ୟାପ୍ରବଣ ଗ୍ରାମଗୁଡିକରେ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅସ୍ଥାୟୀଭାବେ ଆଶ୍ରୟସ୍ଥଳୀଗୁଡିକୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ଜିଲ୍ଲା ଜରୁରୀକାଳୀନ ବିଭାଗ, ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓଙ୍କ କାର୍ଯ୍ୟାଳୟ ସମେତ ମେଡିକାଲ ଓ ଅନ୍ୟାନ୍ୟ ବିଭାଗୁଡିକରେ ୨୪ ଘଂଟିଆ କଂଟ୍ରୋଲ ରୁମ କାର୍ଯ୍ୟ କରିବ । ବିଦ୍ୟୁତ ବିଭାଗକୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ସରବରାହ ବ୍ୟାହତ ପରିସ୍ଥିତିରେ ତାକୁ ସ୍ୱଳ୍ପ ସମୟ ମଧ୍ୟରେ ପୁନଃପ୍ରତିଷ୍ଠା କରିବା ପାଇଁ ନେସ୍କୋ ଅଧକାରୀଙ୍କୁ କୁହାଯାଇଥିଲା । ଚାଷୀମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅସ୍ଥାୟୀ ଶିବିରରେ ଅଧିକାରୀମାନେ ରିଲିଫ କୋଡ ପ୍ରକାରେ ଆଶ୍ରିତମାନଙ୍କୁ ଭୋଜନ, ପାନୀୟ ଜଳ ଯୋଗାଣ ଏବଂ ବିଜୁଳିର ବ୍ୟବସ୍ଥା କରିବେ । ସେହିପରି ଅତ୍ୟାବଶ୍ୟକୀୟ ଔଷଧପତ୍ର ଯୋଗାଣ କରାଯିବ । ଆସନ୍ନପ୍ରସବାମାନଙ୍କୁ ଆଗୁଆଭାବେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଭର୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲଗୁଡିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଆସନ୍ତା ୮ ଓ ୯ତାରିଖରେ ୨୪ ଘଂଟା ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ନିମନ୍ତେ ଚୂଡା,ଗୁଡ ଆଦି ଶୁଖିଲା ଖାଦ୍ୟ ମହଜୁଦ୍ କରି ବିଭିନ୍ନ ରିଟେଲ କେନ୍ଦ୍ରରେ ଉପଲବଧ କରିବା, କିରୋସିନ ମହଜୁଦ ରଖିବା ଏବଂ ଫ୍ରି କିଚେନ ନିମନ୍ତେ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସିଫ୍ଟ ଅନୁଯାୟୀ ସେମାନଙ୍କ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଚାର୍ଟ ପ୍ରସ୍ତୁତ କରାଯିବ । ଡାକ୍ତରଖାନାରେ ଜେନେରଟର, ମେଡିସିନ୍, ହାଲୋଜେନ ଟାବଲେଟ, ପାଣି ଓ ଡ୍ରାଏ ଫୁଡ୍ ମହଜୁଦ୍ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା । ଏଥି ସହିତ ସମସ୍ତ ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ଗୋଖାଦ୍ୟ, ଔଷଧ ଓ ମୋବାଇଲ ଭ୍ୟାନ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେବା ଲାଗି ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କି ଓ ଓଭରହେଡ ଟାଙ୍କିଗୁଡିକରେ ପାଣି ଭର୍ତି କରି ରଖିବା ନିମନ୍ତେ କୁହାଯାଇଛି । ଜିଲ୍ଲାରେ ଥିବା ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗଗୁଡିକ ବିଭିନ୍ନ ଟିମ୍ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଏଥି ସହିତ ତାଳସାରୀଠାରେ ସ୍ୱତନ୍ତ୍ର ଭାବେ ଏକ ଟିମ ମୁତୟନ ରହିବେ । ଆସନ୍ତା କାଲି ସକାଳ ୯ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ବାର୍ତାଳାପ କରି ସ୍ଥିତି ସଂପର୍କରେ ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ ଶୂନ୍ୟ ଜୀବନହାନୀ ପ୍ରତି ଗୁରୁତ୍ୱପ୍ରଦାନ କରି ସମସ୍ତେ ଗୋଟିଏ ଟିମ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ । ବାତ୍ୟାରେ ଯେପରି କୌଣସି ପ୍ରକାର ଧନଜୀବନ ହାନୀ ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ବୈଠକରେ ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ଲାଇନ ଡିପାର୍ଟମେଂଟ ଅଧିକାରୀମାନେ ଯୋଗ ଦେଇଥିଲେ ।