ସହୀଦ ଓ ସଂଗ୍ରାମୀ ଉଭୟ ସମାଜର ପରମ ଉପକାରୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏ ଦେଶ ବିର୍ସାମୁଣ୍ଡାଙ୍କ ପରି ନିର୍ଭୀକ ସଂଗ୍ରାମୀମାନଙ୍କ ବଳିଦାନ ଯୋଗୁ ସ୍ୱାଧୀନତା ପାଇଛି । ଏ ଦେଶ ଜାତୀୟତାବାଦୀ କବିମାନଙ୍କ ପାଇଁ ପରାଧୀନ ମଣିଷ ମନରେ ସ୍ୱାଧୀନତାର ଆହ୍ୱାନ ସୃଷ୍ଟି କରିଛି । ଏ ଦେଶ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକମାନଙ୍କ ପାଇଁ ସାମାଜିକ ସମୁତୁଲ୍ୟତା ପାଇଛି । ଜାତୀୟ ଗଣମାଧ୍ୟମ ଦିବସ ଓ ବିର୍ସାମୁଣ୍ଡା ଜୟନ୍ତୀର ଉଦ୍‌ଯାପନୀ ଉତ୍ସବରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରି ଉପସ୍ଥିତ ଜନତାଙ୍କୁ ସଚେତନ ଓ ଜାଗରଣର ବାର୍ତ୍ତା ଦେଇଥିଲେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ । ସେହିପରି ଅଭିନେତା, ନିର୍ଦ୍ଦେଶକ ଏବଂ ଆଶୁକବି ଦେବ ପାତ୍ରଙ୍କ କବିତା ଆବୃତ୍ତି ମଧ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଓ ସ୍ୱେଚ୍ଛାସେବୀ ବିଶ୍ୱରଞ୍ଜନ ମହାନ୍ତି, ଫ୍ୟାଶନ ଡ଼ିଜାଇନର ସୁଚରିତା ମହାନ୍ତି, ଶିଳ୍ପୋଦ୍ୟୋଗୀ ଗଦାଧର ଦାସ, ସମାଜସେବୀ ସମିତା ମହାରଣା, ଓଡ଼ିଆ ଚଳଚ୍ଚିତ୍ରର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ, ମୁଗୁପୁର ସମାଚାରର ସହ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ବଳିଦାନ ବିଷୟରେ ମହାନୁଭବ ବାର୍ତ୍ତା ଦେବା ସହିତ ଆମ ସାମ୍ପ୍ରତିକ ପରିସ୍ଥିତିରେ ଆମ ଦେଶରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ-୧୯ର ନିୟମ ମାନିବା ସହିତ ଭୁବନେଶ୍ୱରର ୟୁନିଟ-୨ସ୍ଥିତ ପୁରୁଣା ବସଷ୍ଟାଣ୍ଡ ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ଏବଂ ୫୫ତମ ଗଣମାଧ୍ୟମ ଦିବସର ଉଦ୍‌ଯାପନୀ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ ହେବା ଉପସ୍ଥିତ ଜନତାଙ୍କୁ ଅନୁପ୍ରାଣିତ କରିଥିଲା ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାଦ ଦେଇଥିବା ଉଦୀୟମାନ ପ୍ରତିଭା ଓ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବାକୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ‘ଏକମାତ୍ର’ ସାପ୍ତାହିକ ଖବରକାଗଜର ସମ୍ପାଦକ ତାରକ ମହାନ୍ତି, ସମ୍ବାଦର ସାମ୍ବାଦିକ କ୍ଷେତ୍ରବାସୀ ନାଏକ, ଅରଗସ୍‌ର ନ୍ୟୁଜ୍ ରିଡ଼ର ମାଧୁରୀ ମହାନ୍ତି, ଓଲିଉଡ଼ ଅଭିନେତ୍ରୀ ପୂଜା ରାଓ ଓରଫ ରାମେଶ୍ୱରୀ, ମଡ଼େଲ ମେହେର ମହାନ୍ତି ଏବଂ ସମାଜସେବୀ ଦିଲ୍ଲୀପ ମୁଣ୍ଡା । କାର୍ଯ୍ୟକ୍ରମ ଶେଷରେ କୋରିଓଗ୍ରାଫର ପ୍ରିୟାଂଶୁ ଓ ଚାନ୍ଦିନୀ ନୃତ୍ୟ ପରିବେଷଣ କରିଥିଲେ । ବିର୍ସାମୁଣ୍ଡା କମିଟି, ରେଢାଖୋଲ ଏବଂ ଡେନିମ୍ ଆଣ୍ଡୁ ବ୍ଲୁଜ୍‌, ଭୁବନେଶ୍ୱରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଆୟୋଜକ ପ୍ରିୟାଂଶୁ ପ୍ରିୟଦେବ ଏବଂ ସଂଯୋଜନା କରିଥିଲେ ସାମ୍ବାଦିକ ସତ୍ୟ ପାଣିଗ୍ରାହୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ