ସାର୍ଟିଫିକେଟ୍‍ ଆଣିବାକୁ ଯାଇ ଝିଅ ନିଖୋଜ; ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦାଦାରାଡି ଗ୍ରାମର ପ୍ରଫୁଲ ମଳିକଙ୍କ ଝିଅ ରୁନି ମଳିକ(୧୭) ଗତ ୨୩ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଝିଅ ରୁନି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜରେ ପଢୁଥିଲେ । ୨୦୨୦ ଯୁକ୍ତଦୁଇ ପରୀକ୍ଷାରେ ସେ ସଫଳତା ହାସଲ କରିଥିଲେ । କୋଭିଡ୍‍ କଟକଣା ଯୋଗୁଁ ସମୟା ନୁଯାୟୀ ସେ ନିଜର ସାର୍ଟିଫିକେଟ୍‍ ଆଣି ପାରି ନ ଥିଲେ। ଏଣୁ ସେ ଗତ ୨୩ ତାରିଖ ଦିନ ନିଜର ସାର୍ଟିଫିକେଟ୍‍ ଆଣିବାପାଇଁ ବ୍ରହ୍ମପୁର ଯିବାକୁ ବାହାରି ବାପାଙ୍କ ସହ ନିଜଗ୍ରାମରୁ ପ୍ରାୟ ୪କିମି. ପାଦଚଲା ରାସ୍ତାରେ ଶିକରମାହା ପର୍ଯ୍ୟନ୍ତ ଆସି ସେଠାରୁ ୧୨ଘଣ୍ଟା ବେଳେ ଯାଉଥିବା ବିକ୍ରାନ୍ତ ବସରେ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ ଏବଂ ବାପା, ଝିଅର ଟିକେଟ୍‍ କରି ଗାଡିରେ ବସାଇ ଦେଲାପରେ ନିଜ ଗ୍ରାମକୁ ଫେରିଥିଲେ | ବ୍ରହ୍ମପୁର ରେ ଥିବା ତାଙ୍କ ପୁଅ ପିତର ମଲିକକୁ ଝିଅ ଯିବା ବିଷୟ ଜଣାଇବାରୁ ଭାଇ ପିତର ବସ୍‍ ଷ୍ଟାଣ୍ଡରେ ଗାଡି ଅପେକ୍ଷା କରିଥିଲେ, କିନ୍ତୁ ଭଉଣୀ ରୁନି ନ ପହଞ୍ଚିବାରୁ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ନିଜ ସମ୍ପର୍କୀୟ ଓ ଝିଅର କିଛି ସାଙ୍ଗସାଥୀଙ୍କୁ ପଚରା ଉଚରା କରି ଖୋଜାଖୋଜି କରିଥିଲେ ଏବଂ କଲେଜକୁ ଯାଇ ଝିଅର ସାର୍ଟିଫିକେଟ କଥା ପଚାରି ବୁଝିବାରୁ ଝିଅ କଲେଜରୁ ସାର୍ଟିଫିକେଟ୍‍ ନେଇନଥିବା କଲେଜ କର୍ତ୍ତୃପକ୍ଷ କହିଥିଲେ | ଝିଅର କୌଣସି ଖୋଜ ଖବର ନ ମିଳିବାରୁ ବ୍ରାହ୍ମଣୀଗାଁ ଥାନାରେ ଗତ ୨୬ ତାରିଖରେ ଜଣାକରିଥିଲେ ହେଲେ ଥାନା ଅଧିକାରୀ ଝିଅର ଆବଶ୍ୟକୀୟ ପ୍ରମାଣ ପତ୍ର ଯୋଗାଡ କରିବାକୁ କହିଥିଲେ | ଥାନା ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ପରିବାର ଲୋକେ କହିଛନ୍ତି । ପ୍ରକାଶ ଥାଉକି, ଝିଅ ଘରୁ ଯିବା ବେଳେ କଳାରଙ୍ଗର ଚୁଡିଦାର ଟପ୍‍ ସାଙ୍ଗକୁ ଚୁନି ଏବଂ ରଙ୍ଗ ଲେଗ୍‍ ଜିନ୍ସ ପିନ୍ଧିଥିଲା। ଝିଅର ଉଚ୍ଚତା ପ୍ରାୟ ୪ଫୁଟ୍‍ ୩ ଇଂଚ, ଦେହର ରଙ୍ଗ ସାବର୍ଣ୍ଣ, ଲମ୍ବା କଳା କେଶ । କୌଣସି ବ୍ୟକ୍ତି ଉକ୍ତ ଝିଅକୁ ଚିହ୍ନଟ କରନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଘର ନଂ ୮୭୬୩୧୧୮୧୯୮/ ୭୯୭୮୧୩୮୮୭୬ ରେ ଯୋଗାଯୋଗ କରିବାକୁ ପ୍ରଫୁଲ ମଲ୍ଲିକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ