ସାହାଯ୍ୟକାରୀ ସୁଟ୍ !
ସିନେମାରେ ଆମେମାନେ ଦେଖିଛେ କିଭଳି ଅଟୋମେଟିକ୍ ରୋବଟ୍ ସୁଟ୍ ହିରୋମାନଙ୍କୁ ରକ୍ଷା କରିଥାଏ । ତେବେ ସେ ସମସ୍ତ କଥା କେବଳ ସିନେମାରେ ହୋଇପାରିବ, ବାସ୍ତବରେ ଏହା ସମ୍ଭବ ହେବ ବୋଲି କେହି ଭାବି ନଥିବେ । କିନ୍ତୁ ବୈଜ୍ଞାନିକଙ୍କ ଆବିଷ୍କାର ଓ ଉଦ୍ଭାବନ ପାଇଁ ବାସ୍ତବରେ ଏହା ସମ୍ଭବ ହୋଇପାରିଛି । ନିର୍ମାଣ ହୋଇଛି ସୁପରଫ୍ଲେକ୍ସ ରୋବଟିକ୍ ସୁଟ୍ । ଏହା ଏମିତି ଏକ ସୁଟ୍ ଯାହା ସୈନିକ ଓ ବୃଦ୍ଧବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ । ଏହା ବ୍ୟତୀତ ସୁଟ୍ଟି ଆହତ ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କରିବ । ଏହା ଦେଖିବାକୁ ଏକ ପ୍ରକାର ସୁପର ହିରୋ ସୁଟ୍ ଭଳି । ବୈଜ୍ଞାନିକମାନେ ଏହି ସୁଟ୍ରେ ବିଭିନ୍ନ ପ୍ରକାରର ମୋସନ୍ ସେନସର୍, ଆକ୍ସେଲେମିଟରସ୍ ଓ ଗାଏରୋସ୍କୋପସ୍ ଲଗାଇଛନ୍ତି । ଯାହାଫଳରେ ଏହାକୁ ପିନ୍ଧୁଥିବା ବ୍ୟକ୍ତିର ଗତିର ଗଣନା କରି ସେ ଏହାକୁ ସହାୟତା ପ୍ରଦାନ କରିବ । ଏହି ସୁଟ୍ ମୁଖ୍ୟତଃ ସୈନିକମାନଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି । ସେମାନେ ଆହତ ହେବା ସମୟରେ ଏହି ସୁଟ୍ର ସାହାଯ୍ୟ ନେଇପାରିବେ । ଏହାକୁ ଆହୁରି ଅଧିକ ସକ୍ଷମ କରିବାପାଇଁ ଗବେଷକମାନେ ଗବେଷଣା କରୁଛନ୍ତି । ଏହା ଶାରୀରିକ ଦୁର୍ବଳ ଲୋକଙ୍କୁ ସହାୟତା କରିବା ସହ ସେମାନଙ୍କୁ ସଡ଼କ ପାରି କରିବା ଓ ବୁଲିବା ପାଇଁ ମଧ୍ୟ ସାହାଯ୍ୟ କରିବ । ଏହି ନମନୀୟଶୀଳ ରୋବୋଟିକ୍ ସୁଟ୍ ବ୍ୟବହାରକାରୀଙ୍କ ଶାରୀରିକ ଗତିବିଧି ଉପରେ ନଜର ରଖିବ ଓ ସେମାନଙ୍କ ହାତ ଗୋଡ଼କୁ ଅଧିକ ଶକ୍ତି ପ୍ରଦାନ କରିବ । ରୋବଟିକ୍ ସୁଟ୍ ତିଆରି କରିବାର ଚିନ୍ତାଧାରା ତାଙ୍କ ଜେଜେମା ଚାଲୁଥିବାବେଳେ ଅସୁବିଧାକୁ ଦେଖି ଆସିଥିଲା ବୋଲି ସୁଟ୍ ବିକଶିତ କରୁଥିବା କମ୍ପାନୀର ପ୍ରମୁଖ ମନୀଷ କୋଠାରୀ କହିଛନ୍ତି ।


