ସିପସରୁବାଲି ଆନ୍ଦୋଳନର ନେତା ବଟକୃଷ୍ଣ ସ୍ୱାଇଁଙ୍କୁ ନିଃସର୍ତ୍ତ ଖଲାସ ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଦାବି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ଆବାହକ ତଥା ଶାମୁକା ହୋଟେଲ ପ୍ରକଳ୍ପ ଓ ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ବିରୋଧୀ ଆନ୍ଦୋଳନର ନେତା ବଟକୃଷ୍ଣ ସ୍ୱାଇଁଙ୍କୁ ମିଛ ମକଦ୍ଦମାରେ ଗିରଫ ଘଟଣାକୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସେହିପରି କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶାର ଆବାହକ ମଣ୍ଡଳୀ ସଦସ୍ୟ ତଥା ଚାଷୀ-ମୁଲିଆ ସଂଘର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତିଙ୍କ ସମେତ ସିପସରୁବାଲି ଜମି ଆନ୍ଦୋଳନର ଅନ୍ୟ ସାଥୀମାନଙ୍କ ବିରୋଧରେ ମିଛ ମାମଲା ରୁଜୁ କରିବା ଘଟଣାକୁ ମଞ୍ଚ ଗମ୍ଭୀରତା ସହ ନେଇ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ରାଜ୍ୟ ସରକାରଙ୍କ ନଗ୍ନ ଆକ୍ରମଣକୁ ଧିକ୍କାର କରିଛି । ଅବିଳମ୍ବେ ସିପସରୁବାଲି ଆନ୍ଦୋଳନର ନେତା ବଟକୃଷ୍ଣ ସ୍ୱାଇଁଙ୍କୁ ନିଃସର୍ତ୍ତ ଖଲାସ କରିବା ସହିତ ଆନ୍ଦୋଳନକାରୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବାକୁ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦାବି କରାଯାଇଛି ।
ସମନ୍ୱୟ ସମିତିର ନେତୃବୃନ୍ଦ ଅଭିଯୋଗ କରିଛନ୍ତିଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ମୌଜାରେ ଅନାବାଦି କିସମର ଜମି ଉପରେ ଭୂମିହୀନ ଓ ଗରିବ ଲୋକମାନେ ସେମାନଙ୍କ ଅଧିକାର ଦାବି କରୁଥିବା ବେଳେ ସେଠାରେ ସରକାର ଶାମୁକା ହୋଟେଲ ପ୍ରକଳ୍ପ ଓ ବିମାନ ବନ୍ଦର ଭଳି ପରିବେଶ ବିରୋଧୀ ପ୍ରକଳ୍ପ ଜରିଆରେ ଜମି ମାଫିଆ ଓ ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି । ପ୍ରକୃତ ଦଖଲକାରୀଙ୍କୁ ଜମିର ଅଧିକାର ପ୍ରଦାନ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଜମି ମାଫିଆ, ପ୍ରଶାସନ ଓ ପୋଲିସ୍ ମିଳିତ ଭାବରେ ସେଠାକାର ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବାକୁ ସମସ୍ତ ଷଡ଼ଯନ୍ତ୍ର କରିଚାଲିଛନ୍ତି । ପୁରୀ-ବ୍ରହ୍ମଗିରି ଉକୂଳରେ ଥିବା ଘଞ୍ଚ ଜଙ୍ଗଲକୁ ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ନେତୃତ୍ୱରେ ସୁରକ୍ଷା ଦିଆଯାଉଥିବା ବେଳେ ସେଠାରେ ହୋଟେଲ ଶିଳ୍ପ ଓ ବିମାନବନ୍ଦର ପ୍ରତିଷ୍ଠା କରି ସରକାର ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛନ୍ତି । ତୁରନ୍ତ ଏପରି ଜନବିରୋଧୀ ଓ ପ୍ରକୃତି ବିରୋଧୀ ପ୍ରକଳ୍ପରୁ ନିବୃତ୍ତ ରହି ପୁରୀ-ବ୍ରହ୍ମଗିରି ବେଳାଭୂମିର ବାଲୁକାବନ୍ତ ଓ ଘଞ୍ଚ ଜଙ୍ଗଲର ସୁରକ୍ଷା ପାଇଁ ସ୍ଥାନୀୟ ଅଧିବାସୀଙ୍କ ଗଣତାନ୍ତ୍ରିକ ଦାବିକୁ ମାନିନେବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆବାହକ ମଣ୍ଡଳୀ ପକ୍ଷରୁ ଲିଙ୍ଗରାଜ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରଫୁଲ୍ଲ ସାମନ୍ତରା, ରଘୁନାଥ ଦାସ, ସୁରେଶ ପାଣିଗ୍ରାହୀ, ଶଙ୍କର ସାହୁ, ନରେନ୍ଦ୍ର ମହାନ୍ତି, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, କ୍ଷୀରୋଦ ସିଂହଦେଓ ଓ ଦେବରାୟ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ