ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ବାକି ରହିଥିବା ପରୀକ୍ଷାଗୁଡିକର ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ନୂଆଦିଲ୍ଲୀଠାରେ ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେବ । ମାତ୍ର ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉତ୍ତର-ପୂର୍ବ ଦିଲ୍ଲୀ ସମେତ ସମଗ୍ର ଦେଶରେ ଅନୁଷ୍ଠିତ ହେବ । ସକାଳ ୧୦.୩୦ ମିନିଟରୁ ଦିନ ୦୧.୩୦ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ । ଗତ ୫ ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କ ସହିତ ଏକ ୱେବଲାଇନ ମତ ବିନିମୟ ଜରିଆରେ କହିଥିଲେ ଯେ, ଦଶମ ଓ ଏକାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାଗୁଡ଼ିକ ଜୁଲାଇ ପହିଲାରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ପରୀକ୍ଷାର ଦିନ ଧାର୍ୟ୍ୟ ପୂର୍ବରୁ ଛାତ୍ରଛାତ୍ରୀମାନେ ଯେପରି ପର୍ୟ୍ୟାପ୍ତ ସମୟ ପରୀକ୍ଷା ପ୍ରସ୍ତୁତି ପାଇଁ ପାଇବେ ତା’ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଏହା ବ୍ୟତୀତ ପରୀକ୍ଷା ସମୟରେ ଯେପରି ସାମାଜିକ ଦୁରତ୍ଵ ପାଳନ କରାଯାଏ, ସେ ନେଇ ତୀକ୍ଷଣ ଦୃଷ୍ଟି ଦେବାକୁ ସିବିଏସଇକୁ ପରାମର୍ଶ ଦିଆଯାଇଛି । ପୋଖରିଆଲ ସମସ୍ତ ପରୀକ୍ଷାର୍ଥୀମାନଙ୍କ ସଫଳତା କାମନା କରିଛନ୍ତି ।