ସୀମା ବିବାଦକୁ ନେଇ ମଙ୍ଗୁଳୀ ଛକ ଅଶାନ୍ତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଦୁଇ ପ୍ରମୁଖ ରାଜପଥ ୧୬ ନମ୍ବର ଓ ୫୫ ନମ୍ବର ର ସଂଯୋଗ ସ୍ଥଳୀ ମଙ୍ଗୁଳି ଛକ ଏବେ ସୀମା ବିବାଦ କୁ ନେଇ ଅଶାନ୍ତ ହୋଇ ପଡିଛି । ଛକ ଉପରେ କେବିନ୍ ପକ୍କା ଉଠାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗୋଷ୍ଠୀ ସଂଘର୍ଷ ଆଶଙ୍କା ରଖି ଆଜି ଟାଙ୍ଗୀ ପୋଲିସ୍ ବିବାଦୀୟ ସ୍ଥାନରେ ଥିବା ସମସ୍ତ ଉଠା ଦୋକାନ ଗୁଡିକୁ ବନ୍ଦ କରିଛି । ଦୀର୍ଘଦିନ ହେବ ଲାଗିରହିଥିବା ଏହି ବିବାଦ ଦିନକୁ ଦିନ ଉଗ୍ରରୂପ ନେବାକୁ ବସିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଏହି ମଙ୍ଗୁଳି ଅଞ୍ଚଳ ଚୋରା ଓ ଅସାଧୁ ବ୍ୟବସାୟୀ ଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଦିନକୁ ଦିନ ଏହି କାରବାର ବୃଦ୍ଧି ପାଉଥିବା ବେଳେ ଅଞ୍ଚଳରେ ଥିବା ଗୋଚର ଅନାବାଦୀ ଓ ସରକାରୀ ଜମି ଗୁଡିକୁ ଅସାଧୁ ବ୍ୟବସାୟୀ ଙ୍କୁ ଯୋଗାଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ କରାଯାଉଛି । ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏବେ ତାହା ନିକଟରେ ଖାଲି ପଡିଥିବା ସ୍ଥାନ ଗୁଡିକୁ ଜବର ଦଖଲ କରିବାକୁ ମାଫିଆ ମାନେ ଚକ୍ରାନ୍ତ କରିଛନ୍ତି । ଏଭଳି ସ୍ଥିତିରେ ଜବର ଦଖଲ ସ୍ଥାନ ରେ ସୀମା ବିବାଦ ଦେଖା ଦେଇଛି । ଓଭରବ୍ରିଜ୍ କୁ ଲାଗି ରହିଥିବା ଜମି ଗୁଡିକ ନପଙ୍ଗ ପଞ୍ଚାୟତର ପଳଶା, ବନିକା, ସାଇଁଟୋ, ହାଟଶିଶୁଆ, କେଶରପୁର ଓ ନାରପଡା ମୌଜାର । ହେଲେ ଏହି ମୌଜାରେ କେତେକ ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରି ତହିଁରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଓ ଅସାଧୁ ବ୍ୟବସାୟ କରିଆସୁଛନ୍ତି । ଏପରିକି ନିକଟରେ ଥିବା ବହୁ ସରକାରୀ ଜମିରେ କୋଇଲା ଡିପୁ, ନକଲି ତେଲ ପ୍ରସ୍ତୁତି, ସିମେଣ୍ଟ ପ୍ରସ୍ତୁତି ଆଦି କାର୍ଯ୍ୟ ହୋଇ ଆସୁଥିବା ବେଳେ ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ ହେଉଛି । ତେବେ ଯେଉଁ ଅଞ୍ଚଳ ଲୋକ ମାନଙ୍କର ଜମି ସେମାନଙ୍କୁ ଖଣ୍ଡେ କେବିନ୍ ମଧ୍ୟ ପକାଇ ଦେଉ ନାହାନ୍ତି । ଏପରିକି ଏଠାରେ ଗଢି ଉଠିଥିବା ଅଟୋ ଓ ମିନିଟ୍ରକ ଆସୋସିଏସନ୍ ରେ ମଧ୍ୟ ଏହି ଗ୍ରାମବାସୀଙ୍କର ଅଟୋ ଓ ମିନିଟ୍ରକ କୁ ରଖାଇ ଦେଉନହାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆଞ୍ଚଳିକ ବିକାଶ ପରିଷଦ ନାମରେ ନପଙ୍ଗ ପଞ୍ଚାୟତବାସୀ ଏକତ୍ରିତ ହୋଇଥିଲେ । ପରବର୍ତ୍ତୀ ସମୟରେ ନପଙ୍ଗ ସରପଞ୍ଚ ଓ ସମାଜସେବୀ ମାନଙ୍କ ଉଦ୍ୟମରେ ପୋଲିସ୍ ପ୍ରଶାସନ ସହିତ ବହୁବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଗତକାଲି ଏହି ବିବାଦୀୟ ସ୍ଥାନରେ କେବିନ୍ ପକ୍କା ଉଠାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଆଜି ସକାଳୁ ଫୋର୍ସ ସହିତ ଟାଙ୍ଗୀ ପୋଲିସ୍ ଏହି ବିବାଦୀୟ ସ୍ଥାନରେ ଥିବା ସମସ୍ତ ଦୋକାନ ଗୁଡିକୁ ବନ୍ଦ କରାଇଥିଲା । ତେବେ ଏହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ସୀମା ବିବାଦ ତୁଟାଇବା ସହ ଜବରଦଖଲ ଉଚ୍ଛେଦ ପକ୍ରିୟା ଆରମ୍ଭ କଲେ ଏହି ଘଟଣାର ସମାଧାନ ହୋଇ ପାରିବ ବୋଲି ଜଣା ପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ