ସୁଟିଂ ଚାଲିଛି ‘ଲେଖା ହେବ ଲଭ୍ଷ୍ଟୋରି’
ଭୁବନେଶ୍ବର : ଓଲିଉଡର ଜଣାଶୁଣା ନାୟକ ଦେବରାଜଙ୍କର ଏବେ ଏକ ନୂଆ ଓଡ଼ିଆ ସିନେମାର ସୁଟିଂ ଚାଲିଛି । ଏହାର ଟାଇଟଲ ହେଲା ‘ଲେଖା ହେବ ଲଭ୍ଷ୍ଟୋରି’ । ଏଥିରେ ଦେବରାଜଙ୍କର ନାୟିକା ଭୂମିକାରେ ଅଛନ୍ତି ଜଣାଶୁଣା ଅଭିନେତ୍ରୀ ଲିପ୍ସା ମିଶ୍ର । ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି । ଏଥିରେ ଦେବରାଜ- ଲିପ୍ସାଙ୍କର ରୋମାଣ୍ଟିକ୍ ଅନ୍ଦାଜ୍ ଦର୍ଶକଙ୍କୁ ଆମୋଦିତ କରିବ ବୋଲି କୁହାଯାଉଛି । ଏଣେ ଦେବରାଜଙ୍କର କେତୋଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି । ଏଥିମଧ୍ୟରୁ ସବୁଠାରୁ ଆଗରେ ରହିଛି ଓଡ଼ିଆ ସିନେମା ‘ବାବଜୀ କା ଠୁଲୁ’ । ଏଥିରେ ଦେବରାଜଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱାତୀ । ଏତଦ୍ବ୍ୟତୀତ ମିହିର ଦାସ, ଉଷସୀ ମିଶ୍ର, ପୁଷ୍ପା ପନ୍ଦା, ସଲିଲ ମିତ୍ର, ଜୀବନ ପନ୍ଦା, ଶୁଭ୍ରାଂଶୁ ଓ ଦେବୀ ବାରିକ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଏହାର ନିର୍ଦ୍ଦେଶକ ହେଲେ ରଞ୍ଜନ ମିଶ୍ର । ଏହି ସିନେମାର ପ୍ରଯୋଜନା କରିଛନ୍ତି ଲର୍ଡ ଜଗନ୍ନାଥ ଫିଲ୍ମସ । ଦେବରାଜଙ୍କ ଅନ୍ୟ ଏକ ସିନେମା ହେଲା ‘ତୁ ଲୈଲା ମୁଁ ମଜନୁ’ । ଏଥିରେ ଦେବରାଜଙ୍କ ନାୟିକା ସାଜିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ । ଏହି ଫିଲ୍ମ ପୂର୍ବରୁ ଉକ୍ତ ଯୋଡ଼ିଙ୍କୁ ଦର୍ଶକ ‘ତୋ’ ପ୍ରେମରେ ପଡ଼ିଲା ପରେ’ରେ ଦେଖିବାକୁ ପାଇଥିଲେ । ଏହାର ପ୍ରଯୋଜନା କରିଛନ୍ତି ଦେବକୀ ଫିଲ୍ମସ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଦିଲ୍ଲୀପ ପନ୍ଦା ।


