ସୁଲଣ ସରପଞ୍ଚଙ୍କ ନାମରେ ଥାନାରେ ଏଫ.ଆଇ.ଆର ଦେଲେ ବିଡିଓ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଲଣ ଓ ସୋସୋ ପଞ୍ଚାୟତର ସରପଞ୍ଚଙ୍କ ସମେତ ପୁର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ମାମଲା ରୁଜୁ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଥାନାରେ କିଏ ଏଫଆଇଆର କରିବ ତହାକୁ ନେଇ ପୁର୍ବତନ ବିଡିଓ ଏବଂ ଜିପିଓଙ୍କ ମଧ୍ୟରେ ଛକ୍କା ପଞ୍ଝା ଲାଗିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନଥିଲା । ଆଜି ବ୍ଲକ ପକ୍ଷରୁ ବିଡିଓ ଜୟଦେବ ଦାସଙ୍କ ଦ୍ୱାରା ସୁଲଣ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଛି । ବ୍ଲକ ଚିଠିନଂ ୨୭୦/୧୮/୦୧/୨୦୨୦ରେ ଥାନାରେ ହୋଇଥିବା ଅଭିଯୋଗରେ ସୁଲଣ ପଞ୍ଚାୟତରେ ଏସ.ଏଫ.ସି ଯୋଜନାରେ ୨୦ଲକ୍ଷ ୪୫ହଜାର ୬୨୫ଟଙ୍କା ଓ ସି.ଏଫ.ସି ଯୋଜନାରେ ୩୪ଲକ୍ଷ ୯୪ହଜାର ୩୦୭ଟଙ୍କା ହେରେଫେର ହୋଇଥିବା ନେଇ ସରପଞ୍ଚ ଅଲିଭା ପଲେଇ ଓ ପିଇଓ ବ୍ୟାସଦେବ ନାୟକଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ସୁଲଣ ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସରକାରୀ ଅନୁଦାନ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସୋସୋ ଓ ସୁଲଣ ଦୁଇଟି ଯାକ ପଞ୍ଚାୟତର ପିଇଓ ଥିବା ବ୍ୟାସଦେବ ନାଏକ ଓ ଦୁଇ ପଞ୍ଚାୟତର ସରପଞ୍ଚଙ୍କ ସହଯୋଗ କ୍ରମେ ସରକାରୀ ଅନୁଦାନ ସବୁ ଆତ୍ମସାତ କରିଦେଇଥିବା ନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଏହାର ତଦନ୍ତ କରାଯାଇଥିଲା । ଗତ ୨୦ତାରିଖ ଦିନ ଜିଲ୍ଲାପାଳଙ୍କ ଚିଠି ନଂ ୧୬୯୨ ତା ୨୦/୧୧/୨୦୧୯ରେ ପିଇଓ ବ୍ୟାସଦେବ ନାଏକଙ୍କୁ ଚାକିରୀରୁ ନିଲମ୍ବନ କରାଯାଇ ଥିଲା । ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିଠିନଂ ୧୭୫୧ତା ୨୯/୧୧/୨୦୧୯ରେ ସୁଲଣ ସରପଞ୍ଚ ଅଲିଭା ପଲେଇ ଓ ୧୭୫୩ ତା ୨୯/୧୧/୨୦୧୯ରେ ସୋସୋ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକଙ୍କ ସହିତ ପିଇଓ ବ୍ୟାସଦେବ ନାଏକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବାପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇଙ୍କୁ ୫ଟି ଲଗାଇ ନିଲମ୍ବିତ କରିଥିବାବେଳେ ଅନାସ୍ଥାରେ ମଧ୍ୟ ସେ ପରାଜୟ ବରଣ କରିସାରିଛନ୍ତି । ସେହିପରି ସୋସୋ ସରପଞ୍ଚଙ୍କ ବିରୁଦ୍ଧରେ ଆସନ୍ତା ସୋମବାର ଦିନ ଥାନାରେ ଅଭିଯୋଗ କରାଯିବ ବୋଲି ଜିପିଓ ସୁଚନା ଦେଇଛନ୍ତି ।


