ସୁସଂଗଠକ, ବରିଷ୍ଠ ସମାଜସେବୀ ଧିରେନ୍ଦ୍ର ନାରାୟଣ ଦାସଙ୍କ ୯୩ତମ ଜନ୍ମଦିନରେ ଅଭିନନ୍ଦନ ସଭା
ବାଲେଶ୍ୱର, (ସରୋଜ ପଣ୍ଡା) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ସାମାଜିକ ସଂଗଠନ ‘ସହାୟକ’ର ପ୍ରତିଷ୍ଠାତା ଓ ପ୍ରାକ୍ତନ ସଭାପତି, ସାଇନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ, ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଭ୍ୟ, ସାଇସେବା ସଂଗଠନ ଓ ଚିନ୍ମୟ ମିଶନର ସକ୍ରିୟ ସଦସ୍ୟ ତଥା ଜଣେ ସୁସଂଗଠକ, ବରିଷ୍ଠ ସମାଜସେବୀ ଧିରେନ୍ଦ୍ର ନାରାୟଣ ଦାସଙ୍କର ୯୩ତମ ଜନ୍ମଦିନ ଅବସରରେ ଏକ ଅଭିନନ୍ଦନ ସଭା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ଗୃହରେ ଗୁରୁବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବଳମାଳୀ ନାୟକ ଅଧ୍ୟକ୍ଷତା କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଇଂ ଗୌରାଙ୍ଗ ସାହୁ, ସମ୍ପାଦକ ବସନ୍ତ କୁମାର ନାୟକ ଏବଂ ‘ସହାୟକ’ର ସଭାପତି ଡଃ କ୍ଷୀତିଶ୍ୱର ଦାଶ, ସମ୍ପାଦକ ଇଂ. ଡଃ ହୃଷିକେଶ ସାହୁ ମଞ୍ଚାସୀନ ଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କର ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ । ସର୍ବଶ୍ରୀ ବିଜୟ କୁମାର ଦାସଅଧିକାରୀ, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ, ନିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ସାବିତ୍ରୀ ଦାସ, ଜ୍ଞାନରଞ୍ଜନ ସାହୁ, ବୀରେନ୍ଦ୍ର ମହାନ୍ତ ଓ ବେଣୁଧର ସାହୁ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଶ୍ରୀଯୁକ୍ତ ଦାସଙ୍କର ସାମାଜିକ କାର୍ଯ୍ୟରେ ଆନ୍ତରିକତା ଓ ନିଷ୍ଠାପର ସହଯୋଗ ଏବଂ ସମସ୍ତଙ୍କୁ ଆପଣାର କରିନେବାର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରି ସେ ଆମ ସମସ୍ତଙ୍କ ପାଇଁ ଆଦର୍ଶ ଓ ମୁରବୀର ସ୍ଥାନ ଗ୍ରହଣ କରିଛନ୍ତି ବୋଲି କହିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ଶ୍ରୀ ଦାସ ପ୍ରତ୍ୟୁତ୍ତରରେ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇ ବିଭିନ୍ନ ସଂଗଠନକୁ ପ୍ରତିଷ୍ଠା ଓ ପରିଚାଳନାରେ ତାଙ୍କର ଦୀର୍ଘ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ବହୁ ବ୍ୟକ୍ତି ନିଜର କର୍ମକ୍ଷେତ୍ର ବା ଚାକିରିରୁ ଅବସର ନେବା ପରେ ନିଜକୁ ସମାଜସେବାରେ ଉତ୍ସର୍ଗୀକୃତ କରିବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀ ଦାସ ସରକାରୀ ଚାକିରିରୁ ଗତ ୧୯୮୯ ମସିହାରୁ ଅବସର ନେବା ପରେ ଅଦ୍ୟାବଧି ବିଭିନ୍ନ ସେବାକାର୍ଯ୍ୟରେ ଯୋଗଦାନ କରି ସେ ପରମ ଆନନ୍ଦ ଓ ଶାନ୍ତିଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ସଂଗଠନମାନଙ୍କର ସଭ୍ୟ, ସଭ୍ୟା ହେଉଛନ୍ତି ମୋ ପରିବାର ସଦସ୍ୟ ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାଶ କଲାବେଳେ ସେ କାନ୍ଦି ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଣିତା ମିଶ୍ର, ମିନତି ରାୟ, ଯୁଧିଷ୍ଠିର ନନ୍ଦ, ଚିତ୍ତରଞ୍ଜନ ଜେନା, ଭବେଶ ପଣ୍ଡା, କାର୍ତ୍ତିକ ପାତ୍ର, ବକୁଲ ରାୟ, ସେକ୍ ଆଲ୍ଲାଉଦ୍ଦୀନ, କ୍ଷେତ୍ରମୋହନ ରାୟ, କେଶବ ଚନ୍ଦ୍ର ମହାନ୍ତି, ସୀତାରାମ ପ୍ରଧାନ, ସତ୍ୟନାରାୟଣ ନାୟକ, ଡା. ତାରାକାନ୍ତ ନନ୍ଦ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଶ୍ୟାମସୁନ୍ଦର ଜେନା, ସ୍ୱଦେଶ ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ଧଳ ଓ ଇଂ. ଶିବପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୁଜିତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


