ସ୍କୁଟି ଉପରେ ଚଢ଼ିଗଲା ଟ୍ରାକ୍ଟର : ବନରକ୍ଷୀ ମୃତ୍ୟୁ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବୁଗୁଡା ବଡଶଙ୍ଖ ନିକଟରେ ଜୁନ ୨୪ ତାରିଖ ଦିନ ଓଡ଼ି ୩୨ଏ ୫୫୨୨ ନମ୍ବର ସ୍କୁଟି ଉପରେ ଓଡ଼ି ୩୨ଏ ୦୩୯୭ ଟ୍ରାକ୍ଟର ଚଢିଯିବା ଯୋଗୁଁ ସ୍କୁଟି ଚାଳକ, ବାଲିପଦର ବନରକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକା ଜଣକ ହେଲେ ବୁଗୁଡା ବନାଞ୍ଚଳ ଅଧିନସ୍ଥ ବାଲିପଦର ବିଟ୍ ରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ ଅସମତ ବିବି । ଘଟଣାରୁ ଜଣାପଡ଼ିଛି ଯେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟରେ କୌଣସି କାର୍ଯ୍ୟକ୍ରମରେ ସମସ୍ତ ବନପାଳ ଓ ବନରକ୍ଷୀ ଙ୍କ ସମେତ ଅନ୍ୟାନ୍ୟ ବନବିଭାଗ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ସେହିପରି ବାଲିପଦର ବିଟ୍ ଫରେଷ୍ଟ ଗାର୍ଡ ଅସମତ ବିବି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷ ହେବାପରେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟରୁ ବାହାରି ନିଜର ସ୍କୁଟିରେ ଅସମତ ବିବି ବାଲିପଦର ଫେରୁଥିବା ସମୟରେ ବୁଗୁଡା ସହର ଉପକଣ୍ଠ ବଡଶଙ୍ଖ ଠାରେ ଏକ ଟ୍ରାକଟର ଅସମତଙ୍କ ସ୍କୁଟି ଉପରେ ମାଡିଯିବା ଯୋଗୁଁ ଅସମତ ଗୁରୁତର ଆହତ ହୋଇ ଦୁର୍ଘଟଣା ସ୍ଥାନରେ ପଡ଼ିଥିଲେ । ଉପସ୍ଥିତ ଲୋକେ ଆହତ ଅସମତଙ୍କୁ ବୁଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ବନରକ୍ଷୀ ଅସମତ ବିବିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ମଧ୍ୟ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଖବର ପାଇ ବୁଗୁଡା ବାନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ବନ ବିଭାଗ କର୍ମଚାରୀ ବୃନ୍ଦ ଓ ଅସମତଙ୍କ ପରିବାର ଲୋକ ଭଞ୍ଜନଗରରୁ ଆସି ବୁଗୁଡା ମେଡିକାଲରେ ପହଞ୍ଚିଥିଲେ । ଅସମତ ବିବି ଜଣେ ଦକ୍ଷା ମହିଳା ବନରକ୍ଷୀ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ