“ସ୍କୁଲ ଷ୍ଟ୍ରାଇକ୍ ଫର୍ କ୍ଲାଇମେଟ୍’ର ସ୍ରଷ୍ଟା ଗ୍ରେଟା
୨୦୧୮ ଅଗଷ୍ଟ ୨୦ । ଖରାଛୁଟି ପରେ ଖୋଲିଥିଲା ସ୍କୁଲ । ସ୍ୱିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ । ହାତରେ ଧରିଥିଲେ ପ୍ଲାକାର୍ଡ, ଯେଉଁଥିରେ ଦର୍ଶାଯାଇଥିଲା “ସ୍କୁଲ ଷ୍ଟ୍ରାଇକ୍ ଫର୍ କ୍ଲାଇମେଟ୍’ । ଖୁବ୍ ସଂକ୍ଷିପ୍ତ ଭାବେ ଲେଖାଯାଇଥିବା ସେହି ଗୋଟିଏ ଧାଡ଼ିରେ ପ୍ରତିଫଳନ ହୋଇଥିଲା ବିଶ୍ୱବାସୀ ନିରବରେ ଭୋଗୁଥିବା ସମସ୍ୟାର ଚିତ୍ର । ଏହାପରେ ଯାହା ଘଟିଗଲା ତାହା ଇତିହାସ । ମାତ୍ର ୧୫ ବର୍ଷ ବୟସରୁ ବିଶ୍ୱବାସୀଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ଗହନ ପାଠ ପଢ଼ାଇଥିବା ଏହି କୁନି ପରିବେଶବିତ୍ ଜଣଙ୍କ ହେଲେ ଗ୍ରେଟା ଥନ୍ବର୍ଗ ।
୨୦୧୮ ଅଗଷ୍ଟ ୨୦ ପୂର୍ବରୁ ଗ୍ରେଟା ଥିଲେ ଜଣେ ଅପରିଚିତ ଚେହେରା । କେହି ତାଙ୍କୁ ଜାଣି ନ ଥିଲେ କି ଚିହ୍ନି ବି ନ ଥିଲେ । ହେଲେ ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଆରା ଅଭିଯାନ ଏବେ ତାଙ୍କୁ ବିଶ୍ୱବ୍ୟାପୀ ଦେଇଛି ପରିଚିତି । ମନୁଷ୍ୟକୃତ କାରଣରୁ ସବୁଜ ପରିବେଶ ଆଜି ଧ୍ୱଂସାଭିମୁଖୀ । ଏହାକୁ ଖେଳିବୁଲିବା ବୟସରେ ହୃଦୟଙ୍ଗମ କରିପାରିଛନ୍ତି ଗ୍ରେଟା । ହଠାତ୍ କାଳ୍ପନିକ ଜୀବନଶୈଳୀରୁ ବାସ୍ତବବାଦୀ ହୋଇଯାଇଥିବା ଗ୍ରେଟାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ ଏବଂ ଏହାକୁ ନେଇ ଆସନ୍ନ ଗମ୍ଭୀର ସମସ୍ୟାକୁ ରାଜନେତାମାନେ ହୃଦୟଙ୍ଗମ କରିପାରୁନାହାନ୍ତି । ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ଏହା ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲା । ଫଳରେ ସେ ସ୍କୁଲରୁ ଛୁଟି ନେଇ ଏହାର ପ୍ରତିବାଦ କରିବାକୁ ବାହାରିପଡ଼ିଥିଲେ । ଏହାପରେ ଏଥିରେ ଯୋଡ଼ି ହୋଇଗଲେ ବିଭିନ୍ନ ଛାତ୍ର ସଙ୍ଗଠନ । ସବୁଆଡୁ ତାଙ୍କର ଏହି ଅଭିଯାନକୁ ମିଳିଲା ଅକୁଣ୍ଠ ସମର୍ଥନ । ବିଭିନ୍ନ ସ୍ଥାନରେ ଜଳବାୟୁ ପରିବର୍ତ୍ତନକୁ ବେଖାତିର କରିଚାଲିଥିବା ରାଜନେତାଙ୍କ ବିରୋଧରେ ଆରମ୍ଭ ହେଲା ପ୍ରତିବାଦ । ଅଭିଯାନକୁ ଆହୁରି ଶାଣିତ କରିବାକୁ ସେ ଆରମ୍ଭ କଲେ “ଫ୍ରାଇଡେ ଫର ଫ୍ୟୁଚର’ । ପରିବେଶ ପ୍ରତି ଏପରି ଭଲପାଇବା କାରଣରୁ ତାଙ୍କୁ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଉଦ୍ବୋଧନ ଦେବାକୁ ମିଳିଥିଲା ସୁଯୋଗ । ସେ ସମ୍ମିଳନୀରେ ରଖିଥିବା ଅଭିଭାଷଣ ତଥାକଥିକ ରାଷ୍ଟ୍ରନାୟକମାନଙ୍କ ଚିନ୍ତା ବଢ଼ାଇଦେଲା । ଏହାକୁ ଗମ୍ଭୀରତାର ସହ ନେଲେ ପରିବେଶବିତ୍, ଛାତ୍ର । ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ହେଲା । ବିରୋଧ ପ୍ରଦର୍ଶନ କରାଗଲା । ଏବେ ଏହି ଅଭିଯାନରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ପରିବେଶବିତ୍ ଯୋଡ଼ି ହୋଇଗଲେଣି । ଅକାଟ୍ୟ ତଥ୍ୟ ଉପସ୍ଥାପନା ପାଇଁ ଗ୍ରେଟା ସବୁଠି ପରିଚିତ । ସେ ନିଜ ଅଭିଭାଷଣରେ ରଖୁଥିବା ତଥ୍ୟକୁ ଆଧାର କରି ପରିବେଶ ସୁରକ୍ଷା ଏବଂ ତାପମାତ୍ରା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କେବଳ ଏତିକି ନୁହେଁ, ପ୍ରଥମେ ନିଜଠୁ ଆରମ୍ଭ ନ୍ୟାୟରେ ସେ ନିଜ ପରିବାର ସଦସ୍ୟଙ୍କ ଜୀବନ ଶୈଳୀ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି । ଏଥିରେ ମାଂସ ବର୍ଜନ, ବିମାନରେ ଯାତ୍ରା ବନ୍ଦ ଭଳି ନିୟମ ଲାଗୁ ହୋଇଛି । ୨୦୧୯ରେ ଟାଇମ୍ସ ମାଗାଜିନ ଗ୍ରେଟାଙ୍କୁ କଭର ପୃଷ୍ଠାରେ ସ୍ଥାନିତ କରିଥିଲା । ଏହା ଶୀର୍ଷକ ରହିଥିଲା “ନେକ୍ସଟ୍ ଜେନେରେଶନ ଲିଡର’ । ତାଙ୍କ ଜୀବନଗାଥାକୁ ଆଧାର କରି ୩୦ ମିନିଟ୍ ଅବଧିର ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ ହୋଇଛି । ସୂଚନାଯୋଗ୍ୟ, ଗ୍ରେଟାଙ୍କ ଜନ୍ମ ୨୦୦୩ରେ ହୋଇଥିଲା । ତାଙ୍କ ମା’ ମେଲିନା ଏର୍ନମ୍ୟାନ ଜଣେ ଅପେରା ଗାୟିକାୟ । ବାପା ସ୍ୱାନ୍ତ ଥନ୍ବର୍ଗ ଜଣେ ଅଭିନେତା ।


