ଖୁବ୍ଶୀଘ୍ର ସ୍କ୍ରାପିଂ ନୀତି : ୧୫ ବର୍ଷର ପୁରୁଣା ଗାଡ଼ି ରାସ୍ତାରୁ ହଟିବ !
ନୂଆଦିଲ୍ଲୀ : ଦେଶରେ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଖୁବ୍ଶୀଘ୍ର ଏକ ସ୍କ୍ରାପିଂ ନୀତି ଆସିବ । ଏଥିପାଇଁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ଚିଠା ପ୍ରସ୍ତାବକୁ ମଞ୍ଜୁରି ଦେଇ ସାରିଛନ୍ତି । ଅର୍ଥମନ୍ତ୍ରୀ ମଧ୍ୟ ଉକ୍ତ ପ୍ରସ୍ତାବରେ ଦସ୍ତଖତ କରିସାରିଛନ୍ତି । ଏବେ ଉକ୍ତ ଚିଠା ପ୍ରସ୍ତାବକୁ ଏହି ନୀତି ସହ ଜଡ଼ିତ ଅନ୍ୟାନ୍ୟ ମନ୍ତ୍ରାଳୟ ନିକଟକୁ ପଠାଯିବ । ଏହାପରେ କ୍ୟାବିନେଟ୍ ଏହି ପ୍ରସ୍ତାବ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ଗଡ଼କରୀ ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଇଛନ୍ତି । ପ୍ରସ୍ତାବକୁ ମଞ୍ଜୁରି ମିଳିଗଲେ ଦୁଇ ଚକିଆ ଏବଂ ତିନି ଚକିଆଠାରୁ ଆରମ୍ଭ କରି ସମସ୍ତ ଯାନ ପାଇଁ ଏହି ନୀତି ଲାଗୁ ହେବ । ପୂର୍ବରୁ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଭାରତରେ ଏହି ନୀତି କାର୍ଯ୍ୟକାରୀ ହେଲେ ବିଶ୍ୱରେ ଭାରତ ଗାଡ଼ି ନିର୍ମାଣର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ । କାରଣ ପୁରୁଣା ଗାଡ଼ି ଗୁଡ଼ିକ ନଷ୍ଟ କରି ଦିଆଯିବା ଫଳରେ ଏସବୁରୁ ମିଳିବାକୁ ଥିବା ଇସ୍ପାତ, ଆଲୁମିନିୟମ ଏବଂ ପ୍ଲାଷ୍ଟିକ୍ ରିସାଇକ୍ଲ ହେବ । ଏଥିଯୋଗୁ ନୂଆ ଗାଡ଼ି ଦାମ୍ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ । ସେହିଭଳି ଦେଶରେ ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଖୁବ୍ଶୀଘ୍ର ସ୍କ୍ରାପ ନୀତି ଘୋଷଣା ହେବ ବୋଲି ଗତମୋସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଗ୍ରାହକ ପରିତ୍ୟାଗ କରିଲେ ସରକାର ଟିକସ ପ୍ରୋତ୍ସାହନ ଦେବେ ବୋଲି ଆଶା କରାଯାଉଛି । ଏତଦବ୍ୟତୀତ ୧୫ ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକ ଯେଭଳି ରାସ୍ତାରେ ନଗଡ଼ିବ ସେଥିପାଇଁ ମଧ୍ୟ ସରକାର ଲୋକଙ୍କୁ ନିରୁତ୍ସାହିତ କରିବା ଭଳି ଅନେକ ପଦକ୍ଷେପ ନେବେ ବୋଲି ଅନୁମୋନ କରାଯାଉଛି । ୧୫ ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକର ଫିଟନେସ୍ ନବୀକରଣ ଏବେ ବର୍ଷକୁ ଥରେ ହେଉଥିବାବେଳେ ଏହାକୁ ପ୍ରତି ୬ ମୋସରେ ଥରେ କରାଯିବା ନେଇ ମଧ୍ୟ ଯୋଜନା ରହିଛି । ୧୫ ବର୍ଷ ପୁରୁଣା ଏବଂ ପ୍ରଦୂଷଣଯୁକ୍ତ ଯାନକୁ ରାସ୍ତାରୁ ହଟାଇବା ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦିଆଯାଉ ବୋଲି ପୂର୍ବରୁ ଅଟୋମୋବାଇଲ ଶିଳ୍ପ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଅନ୍ୟପକ୍ଷରେ ଅଟୋମୋବାଇଲ ଶିଳ୍ପକୁ ସରକାର ପରାମର୍ଶ ଦେଇଥିଲେ ଯେ, ୧୫ ବର୍ଷର ପୁରୁଣା ଗାଡ଼ିକୁ ବିକି ନୂଆ ଗାଡ଼ି କିଣୁଥିବା ଗ୍ରାହକମାନଙ୍କୁ କମ୍ପାନି ଗୁଡ଼ିକ ରିହାତି ଦେବା ଆବଶ୍ୟକ । ଏହା ହେଲେ ଦେଶରେ ନୂଆ ଗାଡ଼ିର ବିକ୍ରି ବୃଦ୍ଧି ପାଇବ ଏବଂ ପୁରୁଣା ଗାଡ଼ିରୁ ସୃଷ୍ଟି ହେଉଥିବା ପ୍ରଦୂଷଣ କମିବ ।


