ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗରର ବାର୍ତ୍ତା ନେଇ ଚନ୍ଦ୍ରଭାଗାରେ ବେଳାଭୂମି ସଫେଇ
କୋଣାର୍କ: ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ର ବାର୍ତ୍ତା ନେଇ ଚନ୍ଦ୍ରଭାଗା ବେଳାଭୂମିରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁରୀ ଜିଲ୍ଲା ଶିକ୍ଷା ବିଭାଗ, ଜାତୀୟ ସବୁଜ ବାହିନୀ, ସ୍କାଉଟ୍ ଆଣ୍ଡ ଗାଇଡ୍ ଏବଂ ଜୁନିୟର ରେଡକ୍ରସ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡ଼ା ଯୋଗଦେଇ ବେଳାଭୂମିର ସୁରକ୍ଷା ଓ ସଂରକ୍ଷଣ ପ୍ରତ୍ୟେକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ଦଶବାଟିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଜାତୀୟ ସବୁଜ ବାହିନୀର ସଂଯୋଜକ ତଥା ପ୍ରଧାନଶିକ୍ଷକ ରାମକୃଷ୍ଣ ମହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ଯନ୍ତ୍ରୀ ବିଜୟ କୁମାର ସେଠୀ, ସହକାରୀ ପରିବେଶ ବିଜ୍ଞାନୀ ସ୍ମୃତି ରଞ୍ଜନ ପ୍ରଧାନ, ସ୍ୱାତିଶ୍ରୀ ସାମଲ, କାର୍ତ୍ତିକ ବେହେରା, ଅମୃତ ତ୍ରିପାଠୀ, କ୍ଷେତ୍ର ପର୍ଯ୍ୟବେକ୍ଷକ ପିନାକୀ ପ୍ରସାଦ ନାୟକ, ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ରାୟ, ପ୍ରଦୀପ କୁମାର ପ୍ରଧାନ, ବଳରାମ ଦାସ ଏବଂ ସମାଜସେବୀ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ଦିନକୁ ଦିନ ସମୁଦ୍ର ଓ ବେଳାଭୂମି ପ୍ରଦୂଷଣ ବଢ଼ିଚାଲିଛି। ବେଳାଭୂମିକୁ ସ୍ୱଚ୍ଛ ରଖିଲେ ପରିବେଶ ସୁସ୍ଥ ରହିବ। ବିଶେଷକରି ପ୍ଲାଷ୍ଟିକ୍ର ବ୍ୟବହାର ସାମୁଦ୍ରିକ ଜୀବଜଗତ ପାଇଁ ଅତ୍ୟନ୍ତ କ୍ଷତିକାରକ। ସୁସ୍ଥ ଜୀବନଧାରଣ ପାଇଁ ସ୍ୱଚ୍ଛ ଓ ସୁସ୍ଥ ସମୁଦ୍ର ଅପରିହାର୍ଯ୍ୟ। ବେଳାଭୂମି ସ୍ୱଚ୍ଛ ରହିଲେ ଚନ୍ଦ୍ରଭାଗାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ବୋଲି ସେମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ, ଭେଙ୍କଟେଶ୍ୱର ସ୍କୁଲ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ, କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଦଶବାଟିଆ ଉଚ୍ଚ ବିଦ୍ୟାଳୟ, କୋଚିଲେଶ୍ୱର ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ଚନ୍ଦ୍ରଭାଗା ବେଳାଭୂମିରେ ସଫେଇ କରିଥିଲେ।ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ସଂରକ୍ଷଣ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଚେକ୍ ମାଧ୍ୟମରେ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜସେବୀ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିଲେ।


