ସର୍ବଭାରତୀୟ ସ୍ଥଳ ସୈନିକ ଶିବିର- ୨୦୨୬ ରେ ଏନସିସି କ୍ୟାଡେଟଙ୍କ ଗୌରବମୟ ସଫଳତା
ବ୍ରହ୍ମପୁର(ଓ୍ବାଇଏନଏସ) : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ( ଏନ. ସି. ସି )କ୍ୟାଡେଟମାନେ ସର୍ବ ଭାରତୀୟ ସ୍ଥଳ ସୈନିକ ଶିବିର (All India Thal Sainik Camp–AITSC) ୨୦୨୬ରେ ଅଂଶଗ୍ରହଣ କରି ଓଡ଼ିଶା ତଥା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାର ଯାତ୍ରା ମେ ୨୦୨୬ରେ ସି. ଏ. ଟି. ସି -୧ସମୟରେ କ୍ୟାଡେଟମାନଙ୍କ ପ୍ରାରମ୍ଭିକ ଚୟନରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୁନ୍ ମାସରେ ସି. ଏ. ଟି. ସି – ୨ଅବସରରେ ଅନୁଷ୍ଠିତ ଅନ୍ତିମ ୟୁନିଟ୍ ସ୍ତରୀୟ ଚୟନରେ ୨ ଓଡ଼ିଶା ବାଟାଲିୟନ୍ ଏନ. ସି. ସି ଅଧୀନସ୍ଥ ୧୫ଟି ମହାବିଦ୍ୟାଳୟର କ୍ୟାଡେଟମାନଙ୍କ ମଧ୍ୟରୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ୬ ଜଣ ଏସ. ଡି ଏବଂ ୬ ଜଣ ଏସ. ଡବ୍ଲୁ କ୍ୟାଡେଟ ଇଣ୍ଟର-ୟୁନିଟ୍ ପ୍ରତିଯୋଗିତା ପାଇଁ ଚୟନିତ ହୋଇଥିଲେ। ଜୁଲାଇ ମାସରେ ବ୍ରହ୍ମପୁର ଗ୍ରୁପ୍ ଅଧୀନରେ ହୋଇଥିବା ଏହି ଚୟନ ପ୍ରକ୍ରିୟା ପ୍ରାୟ ୨୦ ଦିନ ଧରି ଚାଲିଥିଲା, ଯେଉଁଥିରେ ଗ୍ରୁପ୍ ଅଧୀନସ୍ଥ ୬ଟି ଏନ ସି. ସି ବାଟାଲିୟନର କ୍ୟାଡେଟମାନେ ଅଂଶଗ୍ରହଣ କରିଥିଲେ। ଏହାପରେ ଭୁବନେଶ୍ୱର ଓ ଢେଙ୍କାନାଳରେ ଅନୁଷ୍ଠିତ ଗ୍ରୁପ୍/ରାଜ୍ୟ ସ୍ତରୀୟ ଚୟନରେ ମଧ୍ୟ କ୍ୟାଡେଟମାନେ ପ୍ରାୟ ଏକ ମାସ ଧରି କଠିନ ପ୍ରଶିକ୍ଷଣ ଓ ଚୟନ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିଲେ।
ଦୀର୍ଘ ଚୟନ ପ୍ରକ୍ରିୟାରେ ନିଜର ଶାରୀରିକ ଦକ୍ଷତା, ଶୃଙ୍ଖଳା, ନିଷ୍ଠା, ଦୃଢ଼ ପରିଶ୍ରମ ଓ ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ୫ ଜଣ କ୍ୟାଡେଟ—ସି. ପି. ଏଲ ଆର. ଅଭି , ସି. ପି. ଏଲ.ସ୍ମୃତି ପ୍ରିୟା ସାହୁ , ଏଲ. ସି. ପି. ଏଲ . ବ୍ଲେସି ରାଣୀ ପ୍ରଧାନ, ସି. ଡି. ଟି .ପରମେଶ୍ବର ମଲିକ ଏବଂ ସି ଡି. ଟି.ପ୍ରିୟଙ୍କା ବଡ଼ମୁଣ୍ଡି ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ସର୍ବ ଭାରତୀୟ ସ୍ଥଳ ସୈନିକ ଶିବିର-୨୦୨୬ ପାଇଁ ଚୟନିତ ହୋଇଥିଲେ ଏବଂ ନୂଆଦିଲ୍ଲୀ ସ୍ଥିତ ଡି. ଜି -ଏନ. ସି. ସି କ୍ୟାମ୍ପ ରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଜାତୀୟ ସ୍ତରୀୟ ଶିବିରରେ ସେମାନେ ଅଂଶଗ୍ରହଣ କରିଥିଲେ।
ଶିବିର ସଫଳତାର ସହ ସମାପ୍ତ କରି ୫ ଜଣ କ୍ୟାଡେଟ ସେପ୍ଟେମ୍ବର ୧୩ ତାରିଖରେ ଦିଲ୍ଲୀରୁ ବ୍ରହ୍ମପୁର ଫେରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ସେମାନଙ୍କୁ ଏନ. ସି. ସି.ପକ୍ଷରୁ କ୍ୟାପଟେନ ଡ.ଯତୀନ ବିଷୋୟୀଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା। ଦୀର୍ଘ ଦିନର କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଷ୍ଠାର ଫଳସ୍ୱରୂପ ଜାତୀୟ ସ୍ତରର ଏହି ସମ୍ମାନଜନକ ଶିବିରରେ ସ୍ଥାନ ପାଇଥିବା ଏହି କ୍ୟାଡେଟମାନଙ୍କ ସଫଳତା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି।


