ହର୍ଣ୍ଣ ବଜାଇବାରୁ କାରକୁ କଚାଡ଼ିଦେଲା ଷଣ୍ଢ
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ କାରରେ ବିହାର ବୈଶାଳି ଜିଲ୍ଲାର ମୁଖ୍ୟାଳୟ ହଜିପୁର ଯାଉଛନ୍ତି ତେବେ କାର ହର୍ଣ୍ଣ ବଜାଇବାରୁ ନିଜକୁ ସତର୍କ ରଖନ୍ତୁ । ଏଭଳି କହିବାର କାରଣ ହେଉଛି ହାଜିପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି କାରର ହର୍ଣ୍ଣ ବଜାଇ ଦେଇଥିଲେ । ଏହି ସମୟରେ ସେହି ରାସ୍ତାରେ ବସିଥିବା ଏକ ଷଣ୍ଢ ବିରକ୍ତ ହୋଇଯାଇଥିଲା । ଫଳରେ ସେ ରାଗିଯାଇ କାରଟିକୁ ଶିଙ୍ଘରେ ଉଠାଇ କଚାଡି ଦେଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ସୋମବାର ହାଜିପୁର ରେଳଷ୍ଟେସନ୍ ପାଖରେ ଏକ ଷଣ୍ଢ ବସିଥିଲା । ମଝି ରାସ୍ତାରେ ଷଣ୍ଢକୁ ବସିଥିବା ଦେଖି କାର ଚାଳକ ହର୍ଣ୍ଣ ବଜାଇ ଦେଇଥିଲେ । ଏହାପରେ ଷଣ୍ଢ ରାସ୍ତାରୁ ଉଠି କାର ଆଡକୁ ମାଡି ଆସିଥିଲା ଏବଂ କାରକୁ ଉଠାଇ କଚାଡ଼ିବାକୁ ଲାଗିଥିଲା । ଲୋକମାନେ ଏହି ଦୃଶ୍ୟ ଦେଖି ଷଣ୍ଢକୁ ବାଡ଼େଇବା ପରେ ସେ ସେଠାରୁ ଚାଲିଯାଇଥିଲା । ଏହି ଘଟଣା ଘଟିବା ଦେଖି କାର ଚାଳକ କୌଣସି ମତେ କାରରୁ ବାହାରି ନିଜ ଜୀବନ ବଞ୍ଚାଇ ଦେଇଥିଲେ ।


