ଜାପାନୀଜ ଏନସେଫାଲାଇଟିସ ଟୀକାକରଣ ଉପରେ ସଚେତନତା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାପାନୀଜ ଏନସେଫାଲାଇଟସ ଟୀକାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସୁନନ୍ଦନ ମହାନ୍ତି,ପିଏଚଓ ତୃପ୍ତିମୟୀ ମହାପାତ୍ର,ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ,ସମିତି ସଭ୍ୟ ଓ ସଭ୍ୟା ଆଦି ଉପସ୍ଥିତ ଥିଲେ । ଜାପାନୀଜ ଏନସେଫାଲାଇଟିସ ଏକ ମସ୍ତିସ୍କ ପ୍ରଦାହ ଜ୍ୱର ଓ ଏହା ଭୁତାଣୁ ଜନିତ ରୋଗ । କ୍ୟୁଲେକ୍ସ ମଶା କାମୁଡିଲେ ଏହି ରୋଗ ବ୍ୟାପିଥାଏ । ଏହି ରୋଗର ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଏହି ରୋଗ ଦେଖା ଦେଲେ ପିଲାକୁ ଅତ୍ୟଧିକ ଜ୍ୱର, ମୁଣ୍ଡ ବିନ୍ଧା, ବେହୋସ ହେବା ଆଦି ଲକ୍ଷଣ ଦେଖାଯାଇଥାଏ । ଏପରିକି ପିଲା ବି ମୃତ୍ୟୁ ମୁଖରେ ପଡିପାରେ । ତେଣୁ ଏହି ରୋଗରୁ ଦୁରେଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଏହି ଟୀକା ବ୍ୟବସ୍ଥା ଉକ୍ତ ବ୍ଳକର ୮୬ଟି ସରକାରୀ ବିଦ୍ୟାଳୟ ସମେତ ୧୧୯ ଅଙ୍ଗନୱାଡି କେନ୍ଦ୍ର ଓ ୧୯ଟି ବେସରକାରୀ ବିଦ୍ୟାଳୟରେ ପ୍ରଦାନ କରାଯିବ । ୧ ରୁ ୧୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଏହି ଟୀକା ୧୧ ନଭେମ୍ବର ରୁ ୧୦ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଏହି ଟପ୍ରଦାନ କରାଯିବ । ଟୀକା ପ୍ରଦାନ ସମୟରେ ପିଲା କୌଣସି ଭୟଭିତ ହେବାର ଆବଶ୍ୟକ ନାହିଁ । ଯଦି କୌଣସି ପିଲାର କିଛି ଅସୁବିଧା ହୁଏ ତେବେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଇପାରିବେ । ତେଣୁ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ମହାନ୍ତି ମତବ୍ୟକ୍ତ କରିଥିଲେ ।


